ବିହାର ବିଧାନସଭା ନିର୍ବାଚନ: ପ୍ରବାସୀ ଶ୍ରମିକ ସମସ୍ୟା ଏବଂ କୃଷି ବିଲ୍‌ ମୁଖ୍ୟ ପ୍ରସଙ୍ଗ ହେବ

ପାଟନା‌: ଅକ୍ଟୋବର ୨୮ରେ ଆରମ୍ଭ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ। କରୋନା ମହାମାରୀ ମଧ୍ୟରେ ଏହା ବିଶ୍ବର ପ୍ରଥମ ସର୍ବବୃହତ୍‌ ନିର୍ବାଚନ। ତେବେ ଚଳିତ ବିଧାନସଭା ନିର୍ବାଚନରେ କିଛି ପ୍ରସଙ୍ଗ ଭୋଟ୍‌ ଓ ନିର୍ବାଚନୀ ଫଳାଫଳ ଉପରେ ପ୍ରଭାବ ପକାଇବ। ବିହାରରେ ନିଯୁକ୍ତିର ମାତ୍ରା ଖୁବ୍‌ କମ୍‌। ଜନସଂଖ୍ୟା ବୃଦ୍ଧି ସହ କମ୍‌ ଶିଳ୍ପାୟନ ଯୋଗୁଁ ବିହାରରେ ନିଯୁକ୍ତି କମ୍‌ ରହିଛି। ତେଣୁ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ପାଇଁ ଦେଶର ବିଭିନ୍ନ ଅଂଶକୁ ଚାଲି ଯାଉଛନ୍ତି। ତେବେ ଲକ୍‌ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକ ଫେରିବା ଘଟଣା ପରିସ୍ଥିତିକୁ ଅତି ଜଟିଳ କରିଦେଇଛି। ଏଭଳି ସ୍ଥିତିରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଯୁକ୍ତି ପ୍ରସଙ୍ଗକୁ ଆଧାର କରି ନିର୍ବାଚନୀ ପ୍ରଚାର କରିବେ ଏବଂ ଭୋଟରମାନଙ୍କୁ ଲୋଭାନ୍ବିତ କରିବାକୁ ଚେଷ୍ଟା କରିବେ। ବିଭିନ୍ନ ଦଳ ନିଯୁକ୍ତିକୁ ନେଇ ପ୍ରତିଶ୍ରୁତି ଦେବା ଆରମ୍ଭ କରିଦେଇଛନ୍ତି। ଆର୍‌ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି , ଯଦି ସେ ବିହାର‌ରେ କ୍ଷମତାକୁ ଆସନ୍ତି ତେବେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ସେ ୧୦ ଲକ୍ଷ ଚାକିରିକୁ ଅନୁମତି ଦେବେ। କିନ୍ତୁ ଏହା ଅବାସ୍ତବ ଲାଗୁଛି ବୋଲି ରାଜନୈତିକ ଏବଂ ସାମାଜିକ ବିଶ୍ଳେଷକ ରବି ରଂଜନ କହିଛନ୍ତି।

୩ଟି କାର୍ଯ୍ୟକାଳରେ ନୀତୀଶ ବେକାରୀ ସ୍ଥିତି ନେଇ ଯାହା କରିଛନ୍ତି ତାହା ମଧ୍ୟ ଯଥେଷ୍ଟ ନୁହେଁ। ଏଭଳି କିଛି ଘଟଣାର ଦୃଷ୍ଟାନ୍ତ କରୋନା ଲକ୍‌ଡାଉନ୍‌ ଏବଂ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଜଣାପଡ଼ିଛି। ତେଣୁ ବେକାରୀ ହଟାଇବା ନୂଆ ସରକାରର ପ୍ରଥମ ପ୍ରାଥମିକତା ରହିବ। ବିହାରରେ ମଧ୍ୟ ବନ୍ୟା ଯୋଗୁଁ ଭୟଙ୍କର ସ୍ଥିତି ଉପୁଜୁଛି। ଅଗଷ୍ଟ ସୁଦ୍ଧା ବିହାର ବନ୍ୟାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ୧୬ଟି ଉତ୍ତରପୂର୍ବ ଜିଲ୍ଲାରେ ୮୩.୬୨ ଲକ୍ଷରୁ ଅଧିକ ପ୍ରଭାବିତ ହୋଇଛନ୍ତି। ତେବେ ବନ୍ୟା ପରିଚାଳନା ଦିଗରେ ନୀତୀଶଙ୍କ ଭୂମିକା ପ୍ରଶଂସନୀୟ। ଆର୍‌ଜେଡି ସମୟରେ ୧୯୯୦ ଦଶକରେ ବନ୍ୟା ରାଜନୈତିକ ଏଜେଣ୍ଡାର ଅଂଶବିଶେଷ ନଥିଲା। କିନ୍ତୁ ଚଳିତ ନିର୍ବା‌ଚନରେ ବନ୍ୟା ନିର୍ବାଚନୀ ଏଜେଣ୍ଡାର ଅଂଶବିଶେଷ ରହିଛି। ଲକ୍‌ଡାଉନ୍‌ ସମୟରେ ପ୍ରାୟ ୩୦ ଲକ୍ଷ ପ୍ରବାସୀ ଶ୍ରମିକ ବିହାରକୁ ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ନିର୍ବାଚନ ମଧ୍ୟ ପାର୍ବଣ ଋତୁରେ ପଡ଼ୁଛି। ଦୁର୍ଗା ପୂଜା, ଦିପାବଳୀ ଏବଂ ଛଟ୍‌ ପୂଜାପାଇଁ ମଧ୍ୟ ଆହୁରି ଶ୍ରମିକ ଘରକୁ ଫେରିବେ। ତେଣୁ ବିଭିନ୍ନ ପାରିପାର୍ଶ୍ବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଭୋଟରମାନେ ମଧ୍ୟ ଭୋଟ୍‌ ଫଳାଫଳକୁ ପ୍ରଭାବିତ କରିବେ। କରୋନା ମହାମାରୀ ଅନ୍ୟ ଏକ ଚ୍ୟାଲେଂଜ।

ସମ୍ବନ୍ଧିତ ଖବର