ସବୁ ରାଜ୍ୟକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପତ୍ର : ଦାଦନ ଶ୍ରମିକଙ୍କ କଲ୍ୟାଣ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କର

ନୂଆଦିଲ୍ଲୀ : କୋଭିଡ–୧୯ ସଂକ୍ରମଣର ମୁକାବିଲା ଲାଗି ଘୋଷିତ ଲକଡାଉନ ସମୟରେ ଦେଶର ବିଭିନ୍ନ ରାଜ୍ୟଗୁଡିକର ଆଶ୍ରୟସ୍ଥଳୀ/ଶିବିରରେ ରଖାଯାଇଥିବା ଦାଦନ ଶ୍ରମିକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କଡାକଡି ରୂପେ ପାଳନ କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପତ୍ର ଲେଖିଛନ୍ତି ।

ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆଶ୍ରୟସ୍ଥଳୀ/ଶିବିରରେ ରହିଥିବା ଦାଦନ ଶ୍ରମିକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଏବଂ ସ୍ବଚ୍ଛତାର ସଠିକ ବ୍ୟବସ୍ଥା ସହିତ ଉତ୍ତମ ଚିକିତ୍ସା ପ୍ରଦାନ ସୁନିଶ୍ଚିତ କରିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ବିଭିନ୍ନ ଧର୍ମଗୁରୁ ମାନେ ରିଲିଫ କେନ୍ଦ୍ରଗୁଡ଼ିକୁ ଯାଇ ପରାମର୍ଶ ଦେବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଅଦାଲତ ଏହାମଧ୍ୟ ଉପଲବ୍ଧି କରିଛନ୍ତି ଯେ, ପୁଲିସ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷ ଦାଦନ ଶ୍ରମିକମାନଙ୍କ ଭୟ ଏବଂ ଭାବପ୍ରବଣତାକୁ ବୁଝିବା ଆବଶ୍ୟକ । ଏହି ଶ୍ରମିକମାନଙ୍କର ସୁବିଧା ଅସୁବିଧା ବୁଝିବା ଲାଗି ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ ସହ ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକୁ ମଧ୍ୟ ସାମିଲ କରିବା ଆବଶ୍ୟକ । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପତ୍ର ଓ ନିର୍ଦ୍ଦେଶ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଲେଖାଯାଇଥିବା ପତ୍ରରେ ମଧ୍ୟ ସନ୍ନିବେଶିତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶ୍ରମିକମାନଙ୍କ ମନରେ ଥିବା ମନସ୍ତାତ୍ତ୍ବିକ ସମସ୍ୟାକୁ ନେଇ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି, ଯାହାକି www.mohfw.gov.in ରେ ମଧ୍ୟ ଉପଲବ୍ଧ।

ସମ୍ବନ୍ଧିତ ଖବର