ରାଜ୍ୟକୁ ଫେରୁଥିବା ସଂକ୍ରମିତ ପ୍ରବାସୀ, ଏବେ ଚିନ୍ତାର କାରଣ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀକୁ ନେଇ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ରୋଜଗାରରୁ ବଞ୍ଚିତ ହେବା ସହ ସମ୍ପୃକ୍ତ ରାଜ୍ୟମାନଙ୍କରେ ଅଟକି ରହିଥିଲେ। ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବାକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକମାନଙ୍କୁ ନେବା ପାଇଁ ଟ୍ରେନ୍‌ ଓ ବସ୍‌ର ବ୍ୟବସ୍ଥା କରାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟା ଜାରି ରହିଛି। ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ସଂକ୍ରମିତ ହୋଇଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି।

ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୭୬,୨୩୪ ଜଣ ପ୍ରବାସୀ ଫେରିଛନ୍ତି। ଆଗାମୀ ଦିନରେ ଆହୁରି ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିବାର ସମ୍ଭାବନା ରହିଛି। ଓଡ଼ିଶାରେ ଆଜି ସୁଦ୍ଧା ୫୩୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ସୁରତ ଓ ପଶ୍ଚିମବଂଗ ଫେରନ୍ତା। ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ଫେରିବାର ପ୍ରକ୍ରିୟା ଜାରି ରହିଥିବାରୁ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଅପରପକ୍ଷେ ଉତ୍ତରପ୍ରଦେଶକୁ ସୋମବାର ସୁଦ୍ଧା ଫେରି ଆସିଥିବା ୯ ଲକ୍ଷ ପ୍ରବାସୀଙ୍କ ମଧ୍ୟରୁ ୧୦ ୨ ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ବିହାରକୁ ଫେରି ଆସିଥିବା ୧ ଲକ୍ଷ ପ୍ରବାସୀଙ୍କ ମଧ୍ୟରୁ ୧୪୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଝାଡ଼ଖଣ୍ଡକୁ ଫେରିଥିବା ୪୦ ହଜାର ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୪୭ ଜଣ ସଂକ୍ରମିତ ହୋଇଥିବା ବେଳେ ଉତ୍ତରାଖଣ୍ଡକୁ ଫେରିଥିବା ୩୪,୪୦୯ ଜଣ ପ୍ରବାସୀଙ୍କ ମଧ୍ୟରୁ ୮ ଜଣ କରୋନା ସଂକ୍ରମିତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର