ଜଳ ଜୀବନ ମିସନରେ ସାମିଲ୍‌ ହେବେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ସହରରୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ଗାଁରେ ରହି ଲୋକମାନଙ୍କର ତୃଷ୍ଣା ମେଣ୍ଟାଇବେ। ଅର୍ଥାତ କେନ୍ଦ୍ର ସରକାରଙ୍କ ଜଳଜୀବନ ମିସନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ।

ଜଳଜୀବନ ମିସନର ଲକ୍ଷ୍ୟ ହେଉଛି, ଦେଶର ପ୍ରତ୍ୟେକ ଘରେ ବିଶେଷକରି ଗ୍ରାମାଞ୍ଚଳରେ ପାଇପ ପାଣି ସଂଯୋଗ କରିବା। ୨୦୨୪ ମସିହା ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବ‌ା ପାଇଁ ସମୟସୀମ‌ା ଧାର୍ଯ୍ୟ କରାଯାଇଛି। ଗ୍ରାମୀଣ କମିଟି ଜରିଆରେ ଏହି କାର୍ଯ୍ୟ ସମ୍ପାଦାନ କରାଯିବ। ଫଳରେ, ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପ୍ରବାସୀ ଶ୍ରମିକମାନଙ୍କୁ ସାମିଲ୍‌ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ନିକଟରେ ସ୍ବମାଟିକୁ ବାହୁଡ଼ି ଥିବା ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶା ସମେତ ୬ଟି ରାଜ୍ୟର ମୋଟ ୧୧୬ଟି ଜିଲ୍ଲାରେ ଏହି ଯୋଜନାକୁ ଲାଗୁ କରାଯାଇଛି। ସାମିଲ୍‌ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶାର ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ ବାଲେଶ୍ବର। ଏହାକୁ ଦୃଷ୍ଟି ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକମାନଙ୍କୁ ଜଳ ଜୀବନ ମିସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ରୋଜଗାର ଦେବାକୁ ବ୍ୟବସ୍ଥା କରାଯାଇଛି। ଏହି ମର୍ମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ କୁହାଯାଇଥିବା ଜଣାପଡ଼ିଛି। ଏଥିରେ ଉଭୟ କୁଶଳୀ ଓ ଅଶକୁଶଲୀ ଶ୍ରମିକ ସାମିଲ୍‌ ହୋଇପାରିବେ।

ସମ୍ବନ୍ଧିତ ଖବର