ପ୍ରବାସୀ ଶ୍ରମିକଙ୍କୁ ମିଳିପାରେ ବୀମା କଭର!

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକମାନଙ୍କୁ କେନ୍ଦ୍ର ସରକାରା ବୀମା କଭର ତଥା ଠିକା ଶ୍ରମିକର ଷ୍ଟାଟସ୍‌ ଦେବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଶ୍ରମ ସମ୍ପର୍କିତ ସଂସଦର ସ୍ଥାୟୀ କମିଟି ଚଳିତ ମାସ ଶେଷ ସୁଦ୍ଧା ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ରିପୋର୍ଟରେ କିଛି ଗୁରୁତ୍ବପୂର୍ଣ୍ଣ ସୁପାରିସ କରି ସରକାରଙ୍କୁ ପ୍ରଦାନ କରିବେ। ସଂସଦର ମୌସୁମୀ ଅଧିବେଶନରେ ଏ ବାବଦରେ ବିଲ୍‌ ଆଗତ କରାଯିବାର ସମ୍ଭାବନା ରହିଛି। ଶ୍ରମ କମିଟି ପ୍ରବାସୀ ଶ୍ରମିକମାନଙ୍କୁ ଠିକା ଶ୍ରମିକର ମର୍ଯ୍ୟାଦା, ସ୍ବାସ୍ଥ୍ୟ ବୀମା ଓ ଜୀବନା ବୀମା ଭଳି ସୁବିଧା ଯୋଗାଇ ଦେବା ପାଇଁ ସୁପାରିସ କରିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ପ୍ରବାସୀ ଶ୍ରମିକମାନଙ୍କର ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା ପାଇଁ ମଧ୍ୟ କମିଟି ସୁପାରିଶ କରିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନଙ୍କର ଏକାଧିକ ସମସ୍ୟାକୁ ନେଇ ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଲକ୍‌ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସହରରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର