ତାମିଲ୍‌ନାଡୁରୁ ଓଡ଼ିଶା : ୧୩୦୦ କିମି ଚାଲି ସାରିବା ପରେ ନିଜ ରାଜ୍ୟ ବିହାରକୁ ଯିବାକୁ ଅପେକ୍ଷା କରିଛନ୍ତି ପ୍ରବାସୀ

ଭୁବନେଶ୍ବର: ଓଡ଼ିଶାରେ ବିଭିନ୍ନ ରାଜ୍ୟର ଶ୍ରମିକମାନେ ଫସି ରହିଥିବା ବେଳେ ଝାଡ଼ଖଣ୍ଡ ଓ ଛତିଶଗଡ଼ ସରକାର ବସ୍‌ ପଠାଇ ନିଜ ନିଜ ରାଜ୍ୟର ଶ୍ରମିକଙ୍କୁ ଫେରାଇ ନେଇଛନ୍ତି। ମାତ୍ର ବିହାରର ଶ୍ରମିକମାନେ ଏବେ ବି ନିଜ ଘରକୁ ଫେରି ପାରିନାହାନ୍ତି। ବିହାର ସରକାରଙ୍କ ନିଷ୍ପତ୍ତିକୁ ପ୍ରବାସୀ ଶ୍ରମିକମାନଙ୍କର ଏବେ ବି ଅପେକ୍ଷା ରହିଛି।

ବିହାରର କିଛି ଶ୍ରମିକମାନେ ନିଜ ଘରକୁ ‌ଫେରିବାକୁ ସରକାରଙ୍କ ନିଷ୍ପତ୍ତିକୁ ଅନେଇ ବସିଥିବା ବେଳେ ଆହୁରି ଅନେକ ଶ୍ରମିକ ଘରକୁ ଫେରିବାକୁ ଗାଡ଼ିକୁ ଅପେକ୍ଷା ନ କରି ପାଦରେ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି।

indiatoday

କିଛି ପ୍ରବାସୀ ବିହାରୀ ନିଜ ଘରକୁ ଫେରିବାକୁ ୧୩୦୦ କିଲୋମିଟର୍‌ ବାଟ ଚାଲିଥିବା ବେଳେ ଆହୁରି ୯୦୦ କିଲୋମିଟର୍‌ ବାଟ ଚାଲିଲେ ଯାଇ ବିହାରର ନାଳନ୍ଦା ଜିଲ୍ଲାରେ ପହଞ୍ଚିବେ।

ଭୁବନେଶ୍ବରରୁ ମାତ୍ର ୨୦ କିମି ଦୂରରେ ଥିବା ଚେନ୍ନାଇ-କୋଲକାତା ରାଜପଥରେ ଯାଉଥିବା କିଛି ଶ୍ରମିକଙ୍କୁ ଗଣମାଧ୍ୟମ ପ୍ରତିନିଧି ଭେଟି  ପଚାରିବାରୁ ସେମାନେ କହନ୍ତି କି ବିହାରରେ ପହଞ୍ଚିବା ପାଇଁ ଏହି  ଯାତ୍ରା ତାମିଲ୍‌ନାଡୁର ଚେନ୍ନାଇସ୍ଥିତ ଗୋସିନଗରରୁ ଅ‌ାରମ୍ଭ କରିଛନ୍ତି। ସେମାନେ ପାଦରେ ୬ ଦିନ ଭିତରେ ୧୩୦୦ କିଲୋମିଟର୍‌ ବାଟ ଚାଲି ସାରିଲେଣି।

ପାଦରେ ଚାଲି ଚାଲି ଯାଉଥିବା ଶ୍ରମିକ ଦଳକୁ ଏକ ପୁଲିସ୍‌ ଟିମ୍‌ ଭେଟି ସେମାନଙ୍କୁ ବସ୍‌ ପାଇଁ ଅପେକ୍ଷା କରିବାକୁ କହିଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ କହିବାନୁଯାୟୀ, ‘ଆମେ ଚେନ୍ନାଇରେ ମାସ ମାସ ଧରି ଫସି ରହିଛୁ। ଆମର ଆଶା ଥିଲା ଯେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଆମମାନଙ୍କର ଘରକୁ ଯିବାର ବନ୍ଦୋବସ୍ତ ସରାକାର କରିବେ। ମାତ୍ର ସେପରି ହେଲା ନାହିଁ ଯେହେତୁ ଆମେ ପାଦରେ ଚାଲି ଚାଲି ଆସିବାକୁ ବାଧ୍ୟ ହେଲୁ।’

ଶ୍ରମିକମାନଙ୍କ କହିବାନୁଯାୟୀ ସେମାନେ ବାଟରେ ଆସୁଥିବା ବେଳେ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଦି ବିଭିନ୍ନ ସ୍ଥାନରେ ବିସ୍କୁଟ୍‌, ପାଣି ଯୋଗାଇ ଦିଆଯାଇଥିଲା। ମାତ୍ର ଓଡ଼ିଶା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେପରି କୌଣସି ବନ୍ଦୋବସ୍ତ କରାଯାଇନଥିଲା। ଦୁଇ ଦିନ ଧରି ସେମାନେ ଖାଲି ପାଦ ଓ ପେଟରେ ଚାଲିଥିବା କହିଛନ୍ତି।

ମାତ୍ର ଓଡ଼ିଶା ସରକାରଙ୍କ ଦାବି ହେଉଛି ୫,୩୨୬ ଗ୍ରାମ ପଞ୍ଚାୟତରୁ ଏଯାବତ୍‌ ୩,୩୭, ୮୨୦ ଜଣ ନିରାଶ୍ରୟଙ୍କୁ ସରକାର ଖାଦ୍ୟ ଯୋଗାଇଛନ୍ତି।

ସମ୍ବନ୍ଧିତ ଖବର