ରାସ୍ତାରେ ବା ରେଳଧାରଣାରେ ଚାଲିବେନି ପ୍ରବାସୀ ଶ୍ରମିକ, ରାଜ୍ୟମାନଙ୍କୁ ଗୃହ ମନ୍ତ୍ରାଳୟର ନିର୍ଦେଶ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଭାଗରୁ ନିଜ ଭିଟାମାଟିକୁ ପଦଯାତ୍ରା କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ସଂକଟ ଦୂର କରିବାକୁ ରାଜ୍ୟମାନଙ୍କୁ ଗୃହ ମନ୍ତ୍ରାଳୟ ନିର୍ଦେଶ ଦେଇଛନ୍ତି। ଏହି ମର୍ମରେ ମୁଖ୍ୟସଚିବମାନଙ୍କୁ ଲେଖାଯାଇଥିବା ଚିଠିରେ ଗୃହସଚିବ ଅଜୟ ଭାଲ୍ଲା କହିଛନ୍ତି ଯେ ରାଜ୍ୟ ସରକାରମାନେ ରେଳ ମନ୍ତ୍ରାଳୟ ସହ ଯୋଗାଯୋଗ କରି ଅଧିକ ଶ୍ରମିକ ସ୍ପେସାଲ ରେଳଗାଡ଼ି ପ୍ରଚଳନ କରିବାକୁ ବ୍ୟବସ୍ଥା କରନ୍ତୁ।

ଏହା ସହ ବିଶ୍ରାମସ୍ଥଳୀ ବା ଆଶ୍ରୟସ୍ଥଳୀ ଧାର୍ଯ୍ୟ କରି ସେଠାରେ ଏଭଳି ଶ୍ରମିକମାନଙ୍କୁ ରଖାଇବାର ବନ୍ଦୋବସ୍ତ କରି ସେମାନଙ୍କର ଘରେ ପହଞ୍ଚାଇବାର ସୁବିଧା ଯୋଗାନ୍ତୁ। ଏଭଳି ସ୍ଥାନକୁ ଜିଲ୍ଲା ପ୍ରଶାସନମାନେ ଚିହ୍ନଟ କରିପାରିବେ ଏବଂ ସେହି ଆଶ୍ରୟସ୍ଥଳୀ ନିର୍ମାଣରେ ଏନ୍‌ଜିଓମାନେ ସହଯୋଗ କରିପାରିବେ। ସେହି ସ୍ଥଳୀଗୁ଼ଡ଼ିକରେ ଲମ୍ବା ସମୟ ପାଇଁ ସଙ୍ଗରୋଧରେ ରଖାଯିବାର ଧାରଣା ଦୂର କରିବା ସହ ସେଠାର ପରିମଳ, ସ୍ୱାସ୍ଥ୍ୟରକ୍ଷା ଆବଶ୍ୟକତା ଉପରେ ଧ୍ୟାନ ଦେବେ। ତେଣୁ କେହି ଜଣେ ବି ଶ୍ରମିକ ଯେପରି ରାସ୍ତାରେ ବା ରେଳଧାରଣାରେ ଚାଲୁନଥିବେ, ତାହା ସୁନିଶ୍ଚିତ କରିବାକୁ ହେବ। କାରଣ ବାରମ୍ବାର ଦୁର୍ଘଟଣା ଘଟି ଶହେ ଜଣରୁ ଅଧିକ ଶ୍ରମିକଙ୍କ ଜୀବନ ଚାଲିଗଲାଣି।

ସମ୍ବନ୍ଧିତ ଖବର