ଅମୃତସର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅଧିକାଂଶ ହେଉଛନ୍ତି ୟୁପି ଓ ବିହାରର ପ୍ରବାସୀ ଶ୍ରମିକ

ଅମୃତସର: ପଞ୍ଜାବର ଅମୃତସରଠାରେ ଶୁକ୍ରବାର ସଂଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାରେ ୬୧ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି। ୬୧ ମୃତକଙ୍କ ମଧ୍ୟରୁ ୩୯ ଜଣଙ୍କର ପରିଚୟ ମିଳିଥିବା ପ୍ରଶାସନ ସୂଚନା ଦେଇଛି । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ମୃତ୍ୟୁବରଣ କରିଥିବା ୬୧ ଜଣଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଉତ୍ତରପ୍ରଦେଶ ଓ ବିହାରର ବାସିନ୍ଦା। ମୃତକମାନେ ଅମୃତସର ଶିଳ୍ପାଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

ପ୍ରାଥମିକ ରିପୋର୍ଟ ଅନୁସାରେ ଅଧିକାଂଶ ମୃତକ ବିହାର ଓ ଉତ୍ତର ପ୍ରଦେଶର ଶିଳ୍ପ ଶ୍ରମିକ। ଯେହେତୁ ଏହି ଦୁଇ ରାଜ୍ୟରେ ଦଶହରା ଖୁବ୍‌ ଜାକଜମକରେ ପାଳନ ହୋଇଥାଏ, ତେଣୁ ପ୍ରବାସୀ ଶ୍ରମିକମାନେ ରାବଣ ପୋଡ଼ି ଦେଖିବାକୁ ବହୁ ସଂଖ୍ୟାରେ ଏକତ୍ରୀତ ହୋଇଥିଲେ ବୋଲି ପଞ୍ଜାବର ଜଣେ ବରିଷ୍ଠ ଅଧିକାରୀ ମତପ୍ରକାଶ କରିଛନ୍ତି।


ଏଯାବତ୍‌ ମୃତ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ଜଗୁନନ୍ଦନ ନାମକ ଶ୍ରମିକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ କହିଛନ୍ତି କି ରେଳ ଧାରଣାଠାରୁ ଅଳ୍ପ ଦୂରରେ ଥିବା ମଞ୍ଚରେ ନିର୍ମାଣ ହୋଇଥିବା ରାବଣ ଶରୀରରେ ଅଗ୍ନି ସଂଯୋଗ ହେବା ମାତ୍ରେ ଲୋକେ ସେଠାରୁ ଦୌଡ଼ା ଦୌଡ଼ି ହୋଇ ରେଳ ଧାରଣା ଉପରକୁ ଚାଲି ଆସିଥିଲେ। ଏହାର କିଛି ସମୟ ମଧ୍ୟରେ ଟ୍ରେନ୍‌ ଚାଲିଆସି ଲୋକଙ୍କ ଉପରେ ଚଢ଼ିଯାଇଥିଲା।

ଏହି ଘଟଣାରେ ଆହତ ୭୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ପଞ୍ଜାବ ସରକାର ଏହି ଘଟଣାର ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ଘୋଷଣା କରିଛନ୍ତି। ମୃତକଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଘୋଷଣା କରିଛନ୍ତି ପଞ୍ଜାବ ସରକାର।

ସମ୍ବନ୍ଧିତ ଖବର