ଲକ୍ଷ ଲକ୍ଷ ଓଡ଼ିଆଙ୍କ ଜୀବନ, ଜୀବିକା ବିପନ୍ନ
ବେରୋଜଗାରୀ ଓ ଭୋକର ଜ୍ବାଳା ନେଲା ଉଗ୍ରରୂପ
ଖାଇବାକୁ ଦିଅ ନଚେତ୍ ଗାଁକୁ ଯିବାକୁ ଦିଅ
୨୪ଘଣ୍ଟା ପରେ ବି ଓଡ଼ିଶା ସରକାର ନିରବ
ବ୍ରହ୍ମପୁର : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଛି। ଏହାର ପ୍ରଭାବରେ ଶିଳ୍ପ, କଳକାରଖାନା ଓ ଯାତାୟାତ ସବୁ କିଛି ଠପ୍ ହୋଇଯାଇଛି। ଗୁଜରାଟର ସୁରତଠାରେ ଶତାଧିକ ସୂତାକଳରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଜୀବିକା ହରାଇବା ଆଶଙ୍କା ଦେଖାଦେଇଛି। ଆଉ ଏହି ବେରୋଜଗାରୀର ଆଶଙ୍କା ଓ ଭୋକର ଜ୍ବାଳା ଗତକାଲି ରାତିରେ ଉଗ୍ର ରୂପ ନେଇଛି। ସୁରତର ଡାଇମଣ୍ଡନଗର ଅଞ୍ଚଳରେ ଲକ୍ଡାଉନ୍କୁ ଖାତିର ନକରି ସହସ୍ରାଧିକ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଟାୟାର୍ ଜାଳି ରାସ୍ତା ଅବରୋଧ କରିବା ସହ ବ୍ୟାପକ ପୋଡ଼ାଜଳା କରିଛନ୍ତି। ରାସ୍ତାକଡ଼ରେ ରହିଥିବା ଉଠା ଦୋକାନଗୁଡ଼ିକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ତେବେ ସୁରତରେ ଓଡ଼ିଆ ଶ୍ରମିକଙ୍କ ଉଗ୍ର ପ୍ରଦର୍ଶନକୁ ନେଇ ଏଭଳି ସାଂଘାତିକ ସ୍ଥିତି ଉପୁଜିବା ସତ୍ତ୍ବେ ଓଡ଼ିଶା ସରକାର ନିରବ ବସିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ସୁରତ ଏବଂ ଅହମ୍ମଦାବାଦରେ ଥିବା ସୂତାକଳ ଗୁଡ଼ିକରେ ଓଡ଼ିଶାର ୪ରୁ ୪.୫ଲକ୍ଷ ଶ୍ରମିକ କାମ କରୁଛନ୍ତି। ଏଥିମଧ୍ୟରୁ ୩ ଲକ୍ଷରୁ ଅଧିକ ଶ୍ରମିକ କେବଳ ଗଞ୍ଜାମ ଜିଲ୍ଲାର।
ସୁରତ ଜିଲ୍ଲାର ଡାଇମଣ୍ଡନଗର ଓ ମାରୁତି ନଗର ଅଞ୍ଚଳରେ ଶତାଧିକ ସୂତାକଳ ରହିଛି। ସୁରତ ସହର ଠାରୁ ୧୬କିମି ଦୂର ଡାଇମଣ୍ଡ୍ନଗରରେ ଥିବା ଶତାଧିକ ସୂତାକଳରେ କାମ କରୁଥିବା ପ୍ରାୟ ୪୦ହଜାର ଶ୍ରମିକ ସେହି ଅଞ୍ଚଳରେ ଭଡ଼ା ଘରେ ଓ ବିଭିନ୍ନ ମେସ୍ରେ ରହୁଛନ୍ତି। ସେଠାରେ ୩୧ଟି ଛୋଟ ଓ ବଡ଼ ମେସ୍ ରହିଛି। ଉକ୍ତ ମେସ୍ ଗୁଡ଼ିକରେ ପ୍ରାୟ ୧୦ହଜାର ଶ୍ରମିକ ରହୁଛନ୍ତି।
ସମଗ୍ର ଦେଶରେ ଗତ ୨୨ତାରିଖରୁ ଲକ୍ଡାଉନ୍ ଘୋଷଣାଠାରୁ ସୂତାକଳଗୁଡ଼ିକ ବନ୍ଦ ହୋଇଯାଇଛି। ଶ୍ରମିକମାନଙ୍କ ସମସ୍ତ ମଜୁରି ଦେବା ଲାଗି ଗୁଜରାଟ ସରକାର ସୂତାକଳ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କମ୍ପାନି ଏହାର ଉଲ୍ଲଂଘନ କରିବେ ୧ ବର୍ଷ ଜେଲ୍ ଦଣ୍ଡ ମିଳିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ କିଛି କମ୍ପାନି ଶ୍ରମିକଙ୍କୁ ପୂରା ମଜୁରି ଦେଇଥିବା ବେଳେ କିଛି ଅଧା ମଜୁରି ଦେଇଛନ୍ତି। ‘ବସି ଖାଇଲେ ନଦୀ ବାଲି ସରେ’ ନ୍ୟାୟରେ କାମଧନ୍ଦା ହରାଇଥିବା ଶ୍ରମିକମାନଙ୍କ ସଞ୍ଚିତ ଅର୍ଥ ବି ସରିବାରେ ଲାଗିଛି। ଗୁଜରାଟର କେତେକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଶ୍ରମିକମାନଙ୍କୁ ବିଭିନ୍ନ ଅଞ୍ଚଳରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଗୁଜରାଟୀ ଖାଦ୍ୟ ଓଡ଼ିଆ ଶ୍ରମିକମାନେ ଖାଇବାକୁ ପସନ୍ଦ କରୁନାହାନ୍ତି। ଅନ୍ୟପକ୍ଷରେ ସ୍ବେଚ୍ଛାସେବୀ ସଂସ୍ଥାମାନେ ପ୍ରଦାନ କରୁଥିବା ରନ୍ଧାଖାଦ୍ୟ ବୋଝେଇ ଗାଡ଼ି ପୁଲିସର କଟକଣା ଯୋଗୁଁ ଅଧିକାଂଶ ସମୟରେ ଡାଇମଣ୍ଡନଗର ଅଞ୍ଚଳରେ ପହଞ୍ଚି ପାରୁନାହିଁ। ବେରୋଜଗାରୀ ଓ ଅର୍ଥାଭାବ ସୂତାକଳ ଶ୍ରମିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଡାଇମଣ୍ଡନଗରରେ ରହୁଥିବା ଶ୍ରମିକ ମଧ୍ୟରେ ଅଧିକାଂଶ ଓଡ଼ିଶା ଓ ଉତ୍ତରପ୍ରଦେଶର ବୋଲି କୁହାଯାଇଛି। ତେବେ ଓଡ଼ିଶାର ଶ୍ରମିକଙ୍କ ମଧ୍ୟରେ ସିଂହଭାଗ ଗଞ୍ଜାମର।
ଗତ ଦୁଇଦିନ ହେଲା ଦେଶରେ ଲକ୍ଡାଉନ୍ ଅବଧି ବଢ଼ିବାର ଚର୍ଚ୍ଚା ଲାଗି ରହିଛି। ଓଡ଼ିଶା ସରକାର ଏପ୍ରିଲ ୩୦ତାରିଖ ଯାଏ ଲକ୍ଡାଉନ୍ ଅବଧିକୁ ବଢ଼ାଇ ସାରିଛନ୍ତି। ଫଳରେ ବେରୋଜଗାର ହୋଇଯିବାର ଚିନ୍ତାକୁ ନେଇ ନାନା ଆଶଙ୍କା ମଧ୍ୟରେ ଥିବା ଶ୍ରମିକମାନଙ୍କୁ ଏହା ଅଧିକ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିଲା। ଗତକାଲି ରାତି ପ୍ରାୟ ୯ଟା ସମୟରେ ଡାଇମଣ୍ଡନଗର ଓ ମାରୁତିନଗର ଅଞ୍ଚଳରେ ଏହାକୁ ନେଇ ଉପୁଜିଥିଲା ଅପ୍ରୀତିକର ପରିସ୍ଥିତି। ହଜାର ହଜାର ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଟାୟାର ଜାଳିବା ସହ ରାସ୍ତାକଡ଼ରେ ଥିବା ଠେଲା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ‘ଖାଇବାକୁ ଦିଅ ନଚେତ୍ ଆମକୁ ଗାଁକୁ ଯିବାକୁ ଦିଅ’ ଏହି ଗୋଟିଏ ଦାବି ନେଇ ଶ୍ରମିକମାନେ ଆନ୍ଦୋଳନ ଚଳାଇଥିଲେ। ଏହାପରେ ସ୍ଥାନୀୟ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ ଆଣିଥିଲା। ୭୦ରୁ ୮୦ଜଣ ଶ୍ରମିକ ଅଟକ ରଖି ପରବର୍ତ୍ତୀ ସମୟରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ସୁରତରେ ରହୁଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବାସିନ୍ଦା ତଥା ସୁରତର ଶ୍ରୀଜଗନ୍ନାଥ ଚ୍ୟାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବଂଶୀଧର ଲେଙ୍କା କହିଛନ୍ତି ଯେ, କମ୍ପାନିମାନଙ୍କୁ ଶ୍ରମିକଙ୍କ ପୂରା ଦରମା ଦେବାକୁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଅଧିକାଂଶ ମାଲିକ ଅଧା ଦରମା ଦେଇଛନ୍ତି। କାମଧନ୍ଦା ହରାଇ ମେସ୍ ଓ ଭଡ଼ା ଘରେ ରହିଥିବା ଶ୍ରମିକଙ୍କ ଟଙ୍କା ସରିବାକୁ ବସିଲାଣି। ଘରଭଡ଼ା ଦେବାକୁ ସେମାନଙ୍କ ପାଖରେ ଅର୍ଥ ନାହିଁ। ଡାଇମଣ୍ଡନଗର ଅଞ୍ଚଳରେ ଥିବା ମେସ୍ଗୁଡ଼ିକ ଆସନ୍ତା ୧୦ତାରିଖରୁ ଭାତିଆ ଆଉ ଦେବେ ନାହିଁ ବୋଲି କହି ସାରିଲେଣି। ଫଳରେ ଶ୍ରମିକମାନେ ଚିନ୍ତାରେ ରହିଛନ୍ତି। ଶ୍ରମିକମାନଙ୍କ ପାଖରେ ଏଠାକାର କୌଣସି ପରିଚୟପତ୍ର ନ ଥିବାରୁ ଗୁଜରାଟ ସରକାରଙ୍କ କିଛି ସହାୟତା ମିଳୁନାହିଁ। ତେଣୁ ଯେ କୌଣସି ଉପାୟରେ ଗାଁକୁ ଫେରିବାର ଚିନ୍ତାରେ ସେମାନେ ରହିଛନ୍ତି। ସେଥିଲାଗି ଗତକାଲି ଡାଇମଣ୍ଡନଗରରେ ଏଭଳି ପରିସ୍ଥିତି ଉପୁଜିଥିଲା।
ଶ୍ରୀ ଲେଙ୍କା ଆହୁରି କହିଛନ୍ତି, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଆମ ଟ୍ରଷ୍ଟ୍ ସହଯୋଗରେ ଓଡ଼ିଶା ସରକାର ସୁରତ୍ଠାରେ ଓଡ଼ିଶା ମହୋତ୍ସବ ଆୟୋଜନ କରିଥିଲେ। ଲକ୍ଷାଧିକ ପ୍ରବାସୀ ଓଡ଼ିଆଙ୍କ ସମାଗମ ହୋଇଥିଲା। କିନ୍ତୁ ଏଭଳି ବିପତ୍ତି ସମୟରେ ରାଜ୍ୟ ସରକାରଙ୍କ ଦେଖାନାହିଁ। ଗତ ୨୮ ଓ ୨୯ତାରିଖରେ ଟ୍ରଷ୍ଟ୍ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଦୁଇଟି ଚିଠି ଲେଖାଯାଇଛି। ବ୍ୟାଙ୍କ ଆକାଉଣ୍ଟ୍ ରହିଥିବା ଶ୍ରମିକମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇଦେବା ଲାଗି ଅନୁରୋଧ କରାଯାଇଛି। ସହାୟତା ଦେବା ତ ଦୂରର କଥା ସରକାର ଏଯାଏ ଆମ ଚିଠିର ଉତ୍ତର ଦେଇନାହାନ୍ତି। ଏହାଠାରୁ ଆଉ ବଡ଼ ବିଡ଼ମ୍ବନା କିଛି ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଟ୍ରଷ୍ଟ୍ ପକ୍ଷରୁ ପ୍ରତ୍ୟହ ୧ହଜାର ଲୋକଙ୍କୁ ସୁରତ ଜଗନ୍ନାଥ ମନ୍ଦିର ପରିସରରେ ରନ୍ଧାଖାଦ୍ୟ ଦିଆଯାଉଛି। ଟ୍ରଷ୍ଟ୍କୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଦାନ ଦେଉଛନ୍ତି। ବର୍ତ୍ତମାନ ଟ୍ରଷ୍ଟ ପାଖରେ ୪୦ବସ୍ତା ଚାଉଳ ଓ ଡାଲି ମହଜୁଦ୍ ରହିଥିବା ସେ ସୂଚନା ଦେଇଛନ୍ତି।
ସୁରତ୍ରେ ରହୁଥିବା ସୂତାକଳ ମାଲିକ ତଥା ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ହୃଷୀକେଶ ସ୍ବାଇଁ କହିଛନ୍ତି ଯେ, ‘ମୋ ସୂତାକଳରେ ୩ଶହରୁ ଅଧିକ ଶ୍ରମିକ କାମ କରୁଛନ୍ତି। ମୁଁ ସମସ୍ତଙ୍କୁ ପୂରା ଦରମା ଗତମାସ ୨୫ତାରିଖରେ ଦେଇଛି। ଏଥିସହ ସେମାନଙ୍କୁ ଖାଇବାକୁ ବି ଦେଉଛି। ଶ୍ରମିକଙ୍କୁ ସମସ୍ତ ଦରମା ଦେବା ଲାଗି ସୁରତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ କମ୍ପାନିମାନେ ପୂରା ଦରମା ଦେଉ ନଥିବା ସଂକ୍ରାନ୍ତରେ ଶ୍ରମିକମାନେ ଯେଉଁ ଅଭିଯୋଗ କରିଛନ୍ତି ତାହାର ସତ୍ୟତା ତଦନ୍ତସାପେକ୍ଷ। ଶ୍ରମିକମାନେ ବେରୋଜଗାର ହୋଇ ଘରେ ରହିଥିବାରୁ ଅର୍ଥ ସରି ଯାଇଥାଇପାରେ। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଭଳି ସ୍ଥିତିରେ ଓଡ଼ିଶା ସରକାର କୌଣସି ପଦକ୍ଷେପ ନ ନେଇ ନିରବ ରହିଛନ୍ତି। ଏଠିକାର ଶ୍ରମିକମାନଙ୍କ ସମସ୍ୟା ସଂକ୍ରାନ୍ତରେ ମୁଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଛି। କିଛି ନ ହେଲେ ବି ଓଡ଼ିଶା ସରକାର ପ୍ରତି ଶ୍ରମିକଙ୍କ ପାଇଁ ୫କେଜି ଲେଖାଏଁ ଚାଉଳର ବ୍ୟବସ୍ଥା କରିବା ଲାଗି ସେ ଅନୁରୋଧ କରିଥିବା କହିଛନ୍ତି।
ସୁରତରେ ରହୁଥିବା ଓଡ଼ିଆ ନେତା କବିସୂର୍ଯ୍ୟନଗର ଅଞ୍ଚଳର ବିଜୟ କହଁର କହିଛନ୍ତି ଯେ, ମୁଁ ଲକ୍ଡାଉନ୍ ପୂର୍ବରୁ ଗାଁକୁ ଆସିଥିଲି। ଟ୍ରେନ୍ ଚଳାଚଳ ବନ୍ଦ ଯୋଗୁଁ ସୁରତ ଫେରିପାରୁନାହିଁ। କିନ୍ତୁ ପ୍ରତ୍ୟହ ସେଠାରୁ ଫୋନ ଆସୁଛି। କାମଧନ୍ଦା ହରାଇ ହଜାର ହାଜର ଶ୍ରମିକ ବେରୋଜଗାର ହୋଇ ବସିଛନ୍ତି। ଗୁଜରାଟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନାହିଁ। ନିର୍ବାଚନ ପୂର୍ବରୁ ସୁରତ୍ ଯାଇ ଓଡ଼ିଆ ମହୋତ୍ସବ କରି ବାହାଦୁରି ମାରିଥିବା ଓଡ଼ିଶା ସରକାର ଏଭଳି ବିପତ୍ତି ସମୟରେ ନିରବ ରହିଛନ୍ତି। ମୁଁ ଜିଲ୍ଲା ସମସ୍ତ ବିଧାୟକ ଓ ଏମ୍ପିଙ୍କ ଭେଟି ଏ ସମସ୍ୟା ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବି।