ଗୁଜବ ଯୋଗୁଁ ହଜାର ହଜାର ଶ୍ରମିକ ଏକତ୍ରିତ ହେଲେ: ଉଦ୍ଧବ ଠାକ୍‌ରେ

ମୁମ୍ବାଇ : ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟ ସୀମା ନ ପୂରୁଣୁ ଏବଂ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ମୁମ୍ବାଇର ବାନ୍ଦ୍ରାଠାରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଏକତ୍ରିତ ହୋଇ ଯେଉଁଭଳି କାଣ୍ଡ ଘଟାଇଲେ ତାହାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନାପସନ୍ଦ କରିଛନ୍ତି। ଏହା କେବଳ ମିଥ୍ୟା ଗୁଜବ ଯୋଗୁଁ ସମ୍ଭବ ହୋଇଛି ବୋଲି ଉଦ୍ଧବ କହିଛନ୍ତି। ତେବେ ପୁଲିସର ହସ୍ତକ୍ଷେପ ପରେ ଏହି ଘଟଣାକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି ବୋଲି ଉଦ୍ଧବ ସଫେଇ ଦେଇଛନ୍ତି। କେହି ମୁମ୍ବାଇରେ ମିଥ୍ୟା ଗୁଜବ ପ୍ରଚାର କରିଦେଲା, ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଯାଇଛି। ଏହି ମିଥ୍ୟା ଗୁଜବ ଯୋଗୁଁ ହଜାର ହଜାର ସଂଖ୍ୟାରେ ଶ୍ରମିକ ବାନ୍ଦ୍ରା ଷ୍ଟେସନ ନିକଟରେ ପହଞ୍ଚି ଯାଇଥିଲେ। ତେବେ ଗୁଜବକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଥାକ୍‌ରେ ଚେତାବନୀ ଦେଇଛନ୍ତି, କେହି ଏଭଳି ନିରୀହ ଲୋକ (ହଜାର ହଜାର ଶ୍ରମିକ)ଙ୍କ ଜୀବନ ସହ ଖେଳନ୍ତୁ ନାହିଁ। ଶ୍ରମିକମାନଙ୍କୁ ଖାଦ୍ୟ ନ ମିଳିବାରୁ ସେମାନେ ଭୋକ ଉପାସରେ ରହୁଛନ୍ତି ଏବଂ ସେମାନେ ନିଜନିଜର ଘରକୁ ଫେରିବାକୁ ବ୍ୟସ୍ତ ହେଉଛନ୍ତି ବୋଲି ଯେଉଁ ଖବର ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ତାହାର ଖଣ୍ଡନ କରିଛନ୍ତି। ମହାରାଷ୍ଟ୍ର ସରକାର ଏହି ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନଙ୍କ ପାଇଁ ପ୍ରଚୁର ମାତ୍ରାରେ ଖାଦ୍ୟ ମହଜୁଦ ଅଛି ବୋଲି ଠାକ୍‌ରେ କହିଛନ୍ତି। ପୁଲିସ ଏହି ମାମଲାରେ ଜଣେ ଶ୍ରମିକ ନେତା ଏବଂ ଏକ ମରାଠୀ ନ୍ୟୁଜ୍‌ ଚ୍ୟାନେଲ୍‌ର ସାମ୍ବାଦିକଙ୍କୁ ଗିରଫ କରିଛି। ଉକ୍ତ ସାମ୍ବାଦିକ ଟ୍ରେନ୍‌ ଚାଲିବ ବୋଲି ମିଥ୍ୟା ଖବର ପ୍ରସାରଣ କରିଥିବା ପ୍ରମାଣ ମିଳିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର