ସୁରତରେ ପ୍ରବାସୀ ଶ୍ରମିକଙ୍କ ହିଂସାକାଣ୍ଡ, ପୁଲିସ ଉପରକୁ ପଥର ମାଡ଼, ୫୦ ଅଟକ

ସୁରତ : ଗୁଜୁରାଟର ଶିଳ୍ପ ନଗରୀ ସୁରତରେ ପ୍ରବାସୀ ଶ୍ରମିକମାନେ ହିଂସାକାଣ୍ଡ ଆରମ୍ଭ କରିଦେଇଛନ୍ତି । ନିଜ ନିଜ ରାଜ୍ୟକୁ ଯିବା ପାଇଁ ସୁରତ ଜିଲ୍ଲା ପ୍ରଶାସନ ଟ୍ରେନ ବ୍ୟବସ୍ଥା କରୁ ବୋଲି ସେମାନେ ଦାବି କରି ଏହି ହିଂସାକାଣ୍ଡ କରିଛନ୍ତି ।

ମିଳଥିବା ସୂଚନା ଅନୁସାରେ ସୁରତ ଜିଲ୍ଲା ମୋରା ଗାଁ ନିକଟରେ ଶହ ଶହ ଶ୍ରମିକ ଏହି ହିଂସାକାଣ୍ଡ ଓ ଜଳାପୋଡ଼ା କରିଛନ୍ତି । ଏସବୁ ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଓଡ଼ିଶା, ଉତ୍ତରପ୍ରଦେଶ, ବିହାର ଆଦି ରାଜ୍ୟର ଶ୍ରମିକ ଅଛନ୍ତି ବୋଲି ଜଣାପଡ଼ିଛି । ଏହି ଶ୍ରମିକମାନେ ମୋରା ଗାଁରେ ରହନ୍ତି ଓ ନିକଟସ୍ଥ ହାଜିରା ଶିଳ୍ପାଞ୍ଚଳରେ କାମ କରିଥାନ୍ତି ।

ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ପୁଲିସ ଉପରକୁ ମଧ୍ୟ ପଥର ମାଡ଼ କରିଥିଲେ । ଏଥିରେ କେତେକ ପୁଲିସ କର୍ମୀ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ ଲିପ୍ତ ପ୍ରାୟ ୫୦ ଜଣ ପ୍ରବାସୀ ଶ୍ରମିକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । କେତେକଙ୍କୁ ହିଂସାକାଣ୍ଡ, ଶାନ୍ତିଭଙ୍ଗ ଅଭିଯୋଗରେ ଗିରଫ କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ସଶସ୍ତ୍ର ପୁଲିସ ମୁତୟନ ହୋଇଛନ୍ତି ।

ସୁରତରୁ ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ହଜାର ହଜାର ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଥିଲେ ମଧ୍ୟ ଆହୁରି ଅନେକ ଲୋକ ସେଠାରେ ଫସିରହିଛନ୍ତି ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର