ମୋସ୍କ: ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ରୁଷିଆର ସେଣ୍ଟ୍ରାଲ କ୍ଲିନକାଲ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ସୋଭିଏତ ୟୁନିୟନକୁ ଭାଗ ଭାଗ କରିବା ପାଇଁ ଯେଉଁ ଶୀତଳ ଯୁଦ୍ଧ ଲାଗିଥିଲା ତାହାକୁ ବିନା ରକ୍ତପାତରେ ସେ‌ ଶେଷ କରିଥିଲେ ବି ସୋଭିଏତ ରୁଷକୁ ଏକତ୍ର କରିବାରେ ବିଫଳ ହୋଇଥିଲେ। ସୋଭିଏତ ଋଷର ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ସେ ଆରମ୍ଭ କରିଥିବା ପୋରୋସ୍ତ୍ରୋଇକା ଓ ଗ୍ଲାସ୍ତନସ୍ତ ବ୍ୟବସ୍ଥା ସାରା ବିଶ୍ବରେ ଚର୍ଚ୍ଚିତ ହୋଇଥିଲା।

Advertisment

ତାଙ୍କ ଶାସନ କାଳରେ ସେ ଆମେରିକା ସହ ଅସ୍ତ୍ରଶସ୍ତ୍ର ଦୌଡ଼ ହ୍ରାସ କରିବା ଏବଂ ପାଶ୍ଚାତ୍ୟ ଶକ୍ତିମାନଙ୍କ ସହ ସହଭାଗୀତା କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସୃଷ୍ଟ ବିଭାଜିତ ସମସ୍ୟାକୁ ହଟାଇବା ଏବଂ ଜର୍ମାନୀର ଏକତ୍ରିକରଣ କରିବାରେ ପ୍ରଚେଷ୍ଟା ଜାରି ରଖିଥିଲେ। ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।