କରୋନା ଭୟ: ସ୍ଥଗିତ ରହିପାରେ ବହୁପକ୍ଷୀୟ ମିଳିତ ନୌ- ସମରାଭ୍ୟାସ ‘ମିଲନ ୨୦୨୦’

ନୂଆଦିଲ୍ଲୀ: ଭାରତୀୟ ନୌସେନା ପକ୍ଷରୁ ‘ମିଲନ ୨୦୨୦’ ନାମରେ ଆୟୋଜିତ ହେବାକୁ ଥିବା ବହୁପକ୍ଷୀୟ ମିଳିତ ନୌ- ସମରାଭ୍ୟାସକୁ କରୋନା ଭାଇରସ୍‌ ଆତଙ୍କକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯିବାର ସମ୍ଭାବନା ସୃଷ୍ଟି ହୋଇଛି।

ଭାରତର ବିଶାଖାପାଟନମ୍‌ ଉପକୂଳରେ ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ‘ମିଲନ ୨୦୨୦’ ନାମରେ ଏହି ବହୁପକ୍ଷୀୟ ମିଳିତ ସମରାଭ୍ୟାସ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଇରାନ୍‌ ଓ ସାଉଦି ଆରବ ସମେତ ୪୧ଟି ରାଷ୍ଟ୍ରର ନୌସେନା ଅଂଶଗ୍ରହଣ କରିବା ସହ ମିଳିତ ସମରାଭ୍ୟାସରେ ଅଂଶ ଗ୍ରହଣ କରିଥାନ୍ତେ।

ତେବେ, ସଂପ୍ରତି କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଯେପରି ଏକ ଆତଙ୍କ ଜନକ ସ୍ଥିତି ସୃଷ୍ଟି କରିଛି, ତାହାକୁ ଦୃଷ୍ଟିରେ ରଖି ‘ମିଲନ ୨୦୨୦’କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖା ଯାଇପାରେ ବୋଲି କହିଛନ୍ତି ନୌସେନାର ଜନୈକ ବରିଷ୍ଠ ଅଧିକାରୀ। ଯଦିଓ ‘ମିଲନ ୨୦୨୦’କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ; ତଥାପି ଖୁବ୍‌ ଶୀଘ୍ର ଏଥିନେଇ ଘୋଷଣା କରାଯିବାର ସମ୍ଭାବନା ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର