ନୂଆଦିଲ୍ଲୀ: ଆକ୍ସମ୍-୪ ମିସନର ପାଇଲଟ୍ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମଙ୍ଗଳବାର ପ୍ରଶାନ୍ତ ମହାସାଗରରେ ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶଯାନରୁ ସଫଳ ଅବତରଣ କରିବା ସହ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ସମୟରେ ଶୁକ୍ଳା ଜୀବବିଜ୍ଞାନ, ପଦାର୍ଥବିଜ୍ଞାନ ଓ କୃତ୍ରିମ ବୁଦ୍ଧିମତ୍ତା ଭଳି କ୍ଷେତ୍ରରେ ଏକାଧିକ ପରୀକ୍ଷଣରେ ଭାଗ ନେଇଥିଲେ। ସ୍ପ୍ରାଉଟ୍ସ ପ୍ରୋଜେକ୍ଟରେ ତାଙ୍କର ସମ୍ପୃକ୍ତି - ମାଇକ୍ରୋଗ୍ରାଭିଟିରେ ଉଦ୍ଭିଦ ବୃଦ୍ଧି ଅଧ୍ୟୟନ - ସ୍ଥାୟୀ ମହାକାଶ ଚାଷ ପାଇଁ ପ୍ରତିଶ୍ରୁତି ବହନ କରେ। ସେ ସେଲୁଲାର ସ୍ୱାସ୍ଥ୍ୟ, ମାଂସପେଶୀ ଅବକ୍ଷୟ ଓ ସ୍ୱୟଂଶାସିତ ରୋବୋଟିକ୍ସ ସମ୍ବନ୍ଧୀୟ ପରୀକ୍ଷଣ ଉପରେ ମଧ୍ୟ କାର୍ଯ୍ୟ କରିଥିଲେ, ଯାହା ଉଭୟ ଭବିଷ୍ୟତ ମହାକାଶ ଅଭିଯାନ ଓ ପୃଥିବୀଭିତ୍ତିକ ବିଜ୍ଞାନକୁ ମାର୍ଗଦର୍ଶନ କରିବ। ତାଙ୍କର ଅଗ୍ରଣୀ ବୈଜ୍ଞାନିକ ଅବଦାନ ବ୍ୟତୀତ ଶୁକ୍ଳାଙ୍କ ବୃତ୍ତିଗତ ଦକ୍ଷତା ଓ ମହାକାଶରେ ଭାରତର ସମ୍ମାନଜନକ ପ୍ରତିନିଧିତ୍ୱ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶଚାରୀଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଏହି ଐତିହାସିକ ଯାତ୍ରା ଭାରତର ଗଗନଯାନ ଅଭିଯାନ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
‘ଏକ୍ସ’ରେ ମୋଦୀ ଲେଖିଛନ୍ତି, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶରୁ ତାଙ୍କ ଐତିହାସିକ ଅଭିଯାନରୁ ପୃଥିବୀକୁ ଫେରିବା ପରେ ତାଙ୍କୁ ସ୍ୱାଗତ କରିବାରେ ମୁଁ ଦେଶବାସୀଙ୍କ ସହ ଯୋଗ ଦେଉଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପରିଦର୍ଶନ କରିଥିବା ଭାରତର ପ୍ରଥମ ମହାକାଶଚାରୀ ଭାବରେ ସେ ନିଜର ସମର୍ପଣ, ସାହସ ଓ ଅଗ୍ରଣୀ ଭାବନା ମାଧ୍ୟମରେ କୋଟି କୋଟି ସ୍ୱପ୍ନକୁ ପ୍ରେରଣା ଦେଇଛନ୍ତି। ଏହା ଆମର ନିଜସ୍ୱ ମାନବ ମହାକାଶ ଉଡ଼ାଣ ଅଭିଯାନ- ଗଗନଯାନ ଦିଗରେ ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି ଶୁକ୍ଳାଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।
୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ କରିଛନ୍ତି ଶୁଭାଂଶୁ
ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ: କୋଟିକୋଟି ସ୍ବପ୍ନକୁ ପ୍ରେରଣା ମିଳିଛି
ଏହା ପୂର୍ବରୁ ଶୁକ୍ଳା ତାଙ୍କ ମହାକାଶ ଅଭିଯାନ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ କଥା ହୋଇ କହିଥିଲେ ଯେ ତାଙ୍କ ଯାତ୍ରା ଏକ ନୂତନ ଓ ଆଶାବାଦୀ ଆରମ୍ଭ ଏବଂ ଆମ ଦେଶର ଯୁବବର୍ଗଙ୍କ ପାଇଁ ପ୍ରେରଣା। ୧୪୦ କୋଟି ଭାରତୀୟଙ୍କ ଭାବନା ଆପଣଙ୍କ ସହ ଜଡ଼ିତ। ମୁଁ ଏଠାରେ ପ୍ରତ୍ୟେକ ଭାରତୀୟଙ୍କ ଉତ୍ସାହ, ଗର୍ବ ଓ ଆଶାର ପ୍ରତିନିଧିତ୍ୱ କରୁଛି। ମହାକାଶକୁ ଜାତୀୟ ପତାକା ନେଇ ଯାଉଥିବା ବେଳେ ମୁଁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ଆପଣଙ୍କ ଅଭିଯାନ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଶୁଭାଂଶୁ ଏହି ମହାକାଶ ଅଭିଯାନରେ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣରେ ଭାଗ ନେଇଥିବା ବେଳେ ଭାରତର ଭବିଷ୍ୟତ ମହାକାଶ ଯୋଜନା ପାଇଁ ୭ଟି ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ ସାମିଲ ଥିଲା।
ଜୁଲାଇ ୩, ୪ ଓ ୮ ତାରିଖରେ ଶୁଭାଂଶୁ ହାମ୍ ରେଡିଓ ଜରିଆରେ ତିରୁଅନନ୍ତପୁରମ୍, ବେଙ୍ଗାଲୁରୁ ଓ ଲକ୍ଷ୍ନୌର ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଯୁବବର୍ଗଙ୍କ ମଧ୍ୟରେ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ) ପ୍ରତି ଆଗ୍ରହ ବୃଦ୍ଧି କରିବା। ଜୁଲାଇ ୬ ରେ ସେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଶୁଭାଂଶୁ ଆଲୋଚନା କରି ତାଙ୍କର ପରୀକ୍ଷଣ ଏବଂ ଭାରତର ଗଗନଯାନ ଅଭିଯାନ ବିଷୟରେ ଆଲୋଚନା କରିଥିଲେ। ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ଏବଂ ଭାରତୀୟ ଏଜେନ୍ସି ଇସ୍ରୋ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଏହି ମିସନ ପାଇଁ ଚୟନ କରାଯାଇଥିଲା। ସୂଚନାଯୋଗ୍ୟ ଗଗନଯାନ ମିସନ ହେଉଛି ଭାରତର ପ୍ରଥମ ମାନବବାହୀ ମହାକାଶ ଅଭିଯାନ, ଯାହାର ଲକ୍ଷ୍ୟ ହେଉଛି ଭାରତୀୟ ମହାକାଶଚାରୀମାନଙ୍କୁ ପୃଥିବୀର ନିମ୍ନ କକ୍ଷପଥକୁ ପଠାଇବା ଏବଂ ସୁରକ୍ଷିତ ଭାବେ ଫେରିବା।