କଂଗ୍ରେସରେ ସାଂଗଠନିକ ସଙ୍କଟ ବଢ଼ୁଛି : ଇସ୍ତଫା ଦେଲେ ଦେଓରା, ସିନ୍ଧିଆ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳରୁ ଇସ୍ତଫାର ସୁଅ ଛୁଟିଛି। ଫଳରେ କଂଗ୍ରେସରେ ସାଂଗଠନିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ତାଙ୍କ ପଦରୁ ଇସ୍ତଫା ଦେଇଥିବା ବେଳେ ଏହାର କିଛି ସମୟ ପରେ ଏଆଇସିସି ସାଧାରଣ ସଂପାଦକ ପଦରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି। ଲୋକସଭା ନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ଉଭୟ ନେତା ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ଦେଓରା କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ରାଜନୈତିକ ବାସ୍ତବତା ବଦଳି ଯାଇଛି ଏବଂ ମୁଁ ମୁମ୍ବାଇ କଂଗ୍ରେସ ପଦରେ ରହିବାକୁ ଚାହୁନାହିଁ। ଦେଓରା ତାଙ୍କ ଇସ୍ତଫା ପତ୍ରରେ ଜାତୀୟସ୍ତରରେ ସାଂଗଠନିକ କାମ କରିବେ ବୋଲି କହିଛନ୍ତି। ଉଭୟ ଦେଓରା ଏବଂ ସିନ୍ଧିଆ ସେମାନଙ୍କ ଇସ୍ତଫା ପତ୍ର ରାହୁଲ ଗାନ୍ଧୀଙ୍କୁ ଦେଇଥିବା କହିଛନ୍ତି।

ଲୋକସଭା ନିର୍ବାଚନରେ ସିନ୍ଧିଆଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଉଭୟ ଉତ୍ତର ପ୍ରଦେଶରେ ଦଳ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ରାଜ୍ୟରୁ ଅନେକ କଂଗ୍ରେସ ନେତା ପୂର୍ବରୁ ଇସ୍ତଫା ଦେଇଛନ୍ତି। ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଆସନ ଦଖଲ କରିଥିଲେ। ଦଳର ଅତ୍ୟନ୍ତ ଦୁର୍ବଳ ସାଂଗଠନିକ ସ୍ଥିତି ପାଇଁ ନେତାମାନଙ୍କ କାର୍ଯ୍ୟଶୈଳୀକୁ ଦାୟୀ କରାଯାଉଛି ।

ସମ୍ବନ୍ଧିତ ଖବର