ନୂଆଦିଲ୍ଲୀ: କଂଗ୍ରେସକୁ ଆଜି ମହାରାଷ୍ଟ୍ରରେ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା କଂଗ୍ରେସ ଛାଡ଼ି ଶିବସେନାରେ ଯୋଗ ଦେଇଛନ୍ତି। କଂଗ୍ରେସ ଦେଓରାଙ୍କ ଏହି ପଦକ୍ଷେପକୁ ବ୍ୟକ୍ତିଗତ ସ୍ବାର୍ଥ ସମ୍ବଳିତ କହି ସମାଲୋଚନା କରିଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନ ‘ବର୍ଷା’ରେ ପୂର୍ବତନ ସାଂସଦ ଦେଓରାଙ୍କୁ ଦଳରେ ସାମିଲ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ଦେଓରା କଂଗ୍ରେସରୁ ତାଙ୍କ ଇସ୍ତଫା ସଂପର୍କରେ ‘ଏକ୍ସ’ରେ ପୋଷ୍ଟ୍‌ କରିଥିଲେ। ଶିବସେନାରେ ଯୋଗଦେବା ପରେ ଦେଓରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ପ୍ରଗତି କରିବା ଆମ ପାଇଁ ଗର୍ବର ବିଷୟ। ଯେଉଁଭଳି ଭାବେ ଭିତ୍ତିଭୂମିର ବିକାଶ ହେଉଛି ତାହା ପ୍ରଶଂସନୀୟ। ଗତ ୧୦ ବର୍ଷ ମଧ୍ୟରେ ମୁମ୍ବାଇରେ ଗୋଟିଏ ବି ଆତଙ୍କବାଦୀ ଆକ୍ରମଣ ହୋଇନାହିଁ। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ଶାସନ ଏହି ସଫଳତାର କାରଣ ବୋଲି ଦେଓରା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଥିଲେ ଯେ ମୁଁ ଦଳରେ ଦେଓରାଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି। ନିଷ୍ପତ୍ତି ନେବାପାଇଁ ସାହସ ଜୁଟାଇବାକୁ ପଡ଼ିବ ଏବଂ ଦେଓରା ଏହା ପ୍ରମାଣିତ କରିଛନ୍ତି। ଆଜି ସକାଳେ ଦଳ ଛାଡ଼ିବା ପରେ ଦେଓରା କହିଥିଲେ ଯେ ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆଜି ଶେଷ ହୋଇଛି । କଂଗ୍ରେସ ଦଳ ସହିତ ମୋ ପରିବାରର ୫୫ ବର୍ଷର ସମ୍ପର୍କର ଅନ୍ତ ଘଟିଛି।