ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଯୋଗ ଦେବେ ବୋଲି କିଛି ଦିନ ଧରି ଗୁଜବ ଚାଲିବା ପରେ ଆଜି ବରିଷ୍ଠ ନେତା ମିଲିନ୍ଦ ଦେୱଡ଼ା କଂଗ୍ରେସ୍‌ ପାର୍ଟିରୁ ଇସ୍ତଫା ଦେଇଛନ୍ତି।

Advertisment

‘ଏକ୍ସ୍‌’ରେ କରିଥିବା ପୋଷ୍ଟ୍‌ରେ ସେ ଲେଖିଛନ୍ତି, କଂଗ୍ରେସ ପାର୍ଟି ସହିତ ଥିବା ମୋ ପରିବାରର ୫୫ ବର୍ଷର ସମ୍ପର୍କର ଅବସାନ ଘଟାଇ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ବର୍ଷ ବର୍ଷ ଧରି ମୋତେ ଦୃଢ଼ ସମର୍ଥନ କରିଥିବା ସମସ୍ତ ନେତା, ସହକର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ମୁଁ କୃତଜ୍ଞ।

ସମର୍ଥକମାନଙ୍କ ସହିତ ମିଶି କିଛି ଯୋଜନା କରୁଛନ୍ତି କି, ବୋଲି ପଚାରିବାରୁ ମୁମ୍ବାଇ ସାଉଥ୍‌ର ପୂର୍ବତନ ସାଂସଦ ମିଲିନ୍ଦ୍‌ ଦେୱଡ଼ା କହିଲେ, ମୁଁ ମୋ ସମର୍ଥକମାନଙ୍କ ପରାମର୍ଶ ନେଉଛି। କିନ୍ତୁ, କ‌ୌଣସି ନିଷ୍ପତ୍ତି ନେଇନାହିଁ।

publive-image Image Courtesy of NDTV

ସୂଚନାଯୋଗ୍ୟ, ମିଲିନ୍ଦ୍‌ ଦେୱଡ଼ା ହେଉଛନ୍ତି କଂଗ୍ରେସ ନେତା ମୂରଲୀ ଦେୱଡ଼ାଙ୍କ ପୁତ୍ର। ୨୦୦୪ ଓ ୨୦୦୯ରେ ସେ ମୁମ୍ବାଇ ସାଉଥ୍‌ ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ, ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଶିବସେନା (ଅବିଭକ୍ତ) ନେତା ଅରବିନ୍ଦ ସାୱନ୍ତଙ୍କଠାରୁ ପରାସ୍ତ ହୋଇଥିଲେ।

ଆଜି ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେବେ ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। କିନ୍ତୁ, ଶନିବାର ଦିନ ନିଜେ ଦେୱଡ଼ା ଏକଥାକୁ ଗୁଜବ ବୋଲି କହିଥିଲେ।