କାବୁଲ ଗୁଇନ୍ଦା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଉଗ୍ରବାଦୀ ଆକ୍ରମଣ

କାବୁଲ: ସୋମବାର ଦିନ କାବୁଲସ୍ଥିତ ଏକ ଗୁଇନ୍ଦା ତାଲିମ ପ୍ରତିଷ୍ଠାନ ଉପରେ ସଶସ୍ତ୍ର ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି। ଫଳରେ ଆଫଗାନ ରାଜଧାନୀରେ ପୁଲିସ ଏବଂ ଉଗ୍ରବାଦୀଙ୍କ ମଧ୍ୟରେ ଲଢ଼େଇ ତୁମୁଳ ହୋଇଛି।

ପ୍ରାୟ ୧୦ ଟା ୧୦ ମିନିଟ୍‌ ସମୟରେ ଦଳେ ସଶସ୍ତ୍ର ଆକ୍ରମଣକାରୀ କାବୁଲର ଅସଫର୍‌ ଅଞ୍ଚଳରେ ଥିବା ଏନ୍‌ଡିଏସ୍‌ ଟ୍ରେନିଙ୍ଗ୍‌ ସେଣ୍ଟର୍‌ର ନିର୍ମାଣାଧୀନ କୋଠାରେ ପ୍ରବେଶ କରିଥିଲେ ବୋଲି ଅଭ୍ୟନ୍ତର ମନ୍ତ୍ରାଳୟର ମୁଖପାତ୍ର ନାଜିବ ଦାନିଶ କହିଛନ୍ତି। ନେସ୍‌ନାଲ୍‌ ଡାଇରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି, ଆଫଗାନିସ୍ଥାନର ଗୁଇନ୍ଦା ଏଜେନ୍‌ସି ଉପରେ ଏହି ଆକ୍ରମଣ ହୋଇଛି ବୋଲି ସେ ଦର୍ଶାଇ ଛନ୍ତି।

ବର୍ତ୍ତମାନ ମଧ୍ୟ ଲଢ଼େଇ ଚାଲୁ ରହିଛି ଏବଂ ସରକାରଙ୍କ ତରଫରୁ ଅଭିଯାନ ଆରମ୍ଭ ହୋଇଛି। କେହି ମୃତାହତ ହୋଇ ଥିବାର ଖବର ହଠାତ୍‌ ସେଠାରୁ ଆସି ପାରି ନାହିଁ। ଯୁଦ୍ଧସ୍ଥଳରୁ ଛୋଟ ବଡ଼ ଗୁଳିଗୋଳା ଫୁଟିବା ଶବ୍ଦ ଶୁଭୁଥିବା କଥା ଅନ୍ୟ ଜଣେ ମୁଖପାତ୍ର କହିଛନ୍ତି।

ସେ ଅଞ୍ଚଳକୁ ପଡ଼ିଥିବା ସମସ୍ତ ରାସ୍ତା ବନ୍ଦ ରହିଛ। ଡଜନାଧିକ ପୁଲିସ ଅଧିକାରୀ ଏବଂ ଗୁଇନ୍ଦା ଅଧିକାରୀମାନେ ସେଠାକୁ ସର୍ବସାଧାରଣଙ୍କୁ ଛାଡୁ ନାହାନ୍ତି।

ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

ସମ୍ବନ୍ଧିତ ଖବର