କାଜାଖସ୍ତାନରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ, ୪ମୃତ

ନୂଆଦିଲ୍ଲୀ: କାଜାଖସ୍ତାନରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଦୁର୍ଘଟଣା ସମୟରେ ବିମାନ ମଧ୍ୟରେ ୬ଜଣ ଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ବିମାନଟି ଜାତୀୟ ସୁରକ୍ଷା କମିଟିର ଏକ ଅଂଶ ଥିବା ସହ କାଜାଖସ୍ତାନର ସୀମା ସୁରକ୍ଷା ସେବାରେ ନିୟୋଜିତ ଥିଲା। ବିମାନଟି କାଜାଖସ୍ତାନର ଆଲମାଟି ବିମାନବନ୍ଦର ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ପ୍ରାଥମିକ ସୂଚନାରୁ ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି। ଦୁର୍ଘଟଣା ସମୟର ଭାଇରାଲ ହେଉଥିବା ଫଟୋରେ ଦେଖାଯାଇଛି ଯେ, ବିମାନଟି ଅବତରଣ କରିବା ପରେ ଓଲଟି ପଡ଼ିବା ସହ ବିମାନରେ ନିଆଁ ଲାଗି ଯାଉଛି। ଭାଇରାଲ ହେଉଥିବା ଭିଡିଓରେ ଦୁର୍ଘଟଣା ଘଟିଥିବା ସ୍ଥାନରୁ ଧୂଆଁ ବାହାରୁଥିବା ଦେଖାଯାଉଛି।

ସୂଚନା ମୁତାବକ, ବିମାନଟି କାଜାଖସ୍ତାନର ରାଜଧାନୀ ନୂର-ସୁଲତାନରୁ ଉଡ଼ାଣ କରିଥିଲା। ଉଡ଼ାଣ କରିବାର କିଛି ସମୟ ପରେ ଆଲମାଟି ବିମାନବନ୍ଦରରେ ଅବତରଣ କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ହଠାତ ବିମାନ ଓଲଟି ପଡ଼ିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ ଜାଣିବା ପାଇଁ ଏବେ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର