ନୂଆଦିଲ୍ଲୀ: ଭାରତର କେନ୍ଦ୍ରଶାସିତ ଅଂଚଳ ଲକ୍ଷଦ୍ବୀପ ଅଧିନରେ ଆସୁଥିବା ବିତ୍ରା ଦ୍ବୀପରେ ଏକ ସାମରିକ ଘାଟି ସ୍ଥାପନ କରିବାକୁ ଭାରତ ସରକାର ଯୋଜନା କରୁଛନ୍ତି । ଏହି ଦ୍ବୀପଟି ସାମରିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଥିବାରୁ ସରକାର ଏଠାରେ ଏକ ଘାଟି ସ୍ଥାପନ ପାଇଁ ବିଚାର କରୁଛନ୍ତି । କିନ୍ତୁ ସରକାରଙ୍କ ଏହି ପ୍ରସ୍ତାବକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି । ବର୍ତ୍ତମାନ, ବିତ୍ରାରେ ପ୍ରାୟ ୧୦୫ ପରିବାର ବାସ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଏହି ଅଧିଗ୍ରହଣକୁ ବିରୋଧ କରିଛନ୍ତି।
ତଥାପି, ଦ୍ୱୀପପୁଞ୍ଜର ରାଜସ୍ୱ ବିଭାଗ ବିତ୍ରା ଦ୍ୱୀପର ସାମାଜିକ ପ୍ରଭାବ ମୂଲ୍ୟାଙ୍କନ (ଏସଆଇଏ) ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ନୋଟିସରେ କୁହାଯାଇଛି ଯେ ଏହି ମୂଲ୍ୟାଙ୍କନର ଉଦ୍ଦେଶ୍ୟ ହେଉଛି ଏହାର 'ରଣନୈତିକ ସ୍ଥିତି' ଏବଂ 'ଜାତୀୟ ସୁରକ୍ଷା ପ୍ରାସଙ୍ଗିକତା' ଯୋଗୁଁ ସମଗ୍ର ଦ୍ୱୀପକୁ ପ୍ରତିରକ୍ଷା ଏବଂ ରଣନୈତିକ ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରିବା।
ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ବିତ୍ରା ଦ୍ବୀପ ସାମରିକ ଓ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏଠାରେ ବେସାମରିକ ଜନବସତି ଥିବାରୁ କେତେକ ପ୍ରଶାସନିକ ଓ ଲଜିଷ୍ଟିକ୍ସ ସମସ୍ୟା ସୃଷ୍ଟି ହେଉଛି । ତେବେ ସରକାରଙ୍କ ଦ୍ବାରା ଜମି ଅଧିଗ୍ରହଣ ପୂର୍ବରୁ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ ଓ ଗ୍ରାମ ସଭା ଅନୁଷ୍ଠିତ ହେବ ।