ପରମାଣୁ ଅସ୍ତ୍ରବାହକ ମିଗ୍-୩୧ ମୁତୟନ ନେଇ ଚିନ୍ତା
ୟୁକ୍ରେନ୍ର ତୁହାକୁ ତୁହା ଡ୍ରୋନ୍ କ୍ଷେପଣାସ୍ତ୍ର ପରୀକ୍ଷା
କିବ୍ : ୟୁକ୍ରେନ୍କୁ ତିନି ପଟୁ ଘେରାବନ୍ଦୀ କରିଥିବା ରୁଷ୍ ସେନା ବେଲାରୁଷ୍ ସହିତ ମିଶି ସୀମାରେ ଜୋର୍ଦାର ସମରାଭ୍ୟାସ ଚଳାଇଛି। ଏଥିରେ ୩୦ ହଜାର ସୈନିକ ଅଂଶଗ୍ରହଣ କରିଥିବା ବେଳେ ୫୦ରୁ ଅଧିକ ବୋମାବର୍ଷୀ ବିମାନ ସାମିଲ ହୋଇଛି। ଅନ୍ୟପକ୍ଷରେ ୟୁକ୍ରେନ୍ ମଧ୍ୟ ତୁହାକୁ ତୁହା ଡ୍ରୋନ୍ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହ କମାଣ୍ଡୋ ବାହିନୀର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ଆରମ୍ଭ କରିଦେଇଛି। ଆହୁରି ସପ୍ତାହେ ପର୍ଯ୍ୟନ୍ତ ଏଭଳି ସମରାଭ୍ୟାସ ଜାରି ରହିବ ବୋଲି ରୁଷ୍ ସେନା ସୂତ୍ରରୁ ଖବର ମିଳିଛି। ୟୁକ୍ରେନ୍ ସେନା ଏବେ ରୁଷ୍ ସେନା ଏବଂ ତାହାର ଶକ୍ତିଶାଳୀ ଟ୍ୟାଙ୍କ୍ର ମୁକାବିଲା ପାଇଁ ତୁର୍କୀଠାରୁ ହାସଲ କରିଥିବା ଡ୍ରୋନ୍ କ୍ଷେପଣାସ୍ତ୍ରର ତୁହାକୁ ତୁହା ପରୀକ୍ଷା କରୁଛି। ଏଭଳି ଅଭ୍ୟାସ ୟୁକ୍ରେନ୍ ସୀମାରେ ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି।
ୟୁକ୍ରେନ୍ ସେନା ଆମେରିକାଠାରୁ ମିଳିଥିବା ଟ୍ୟାଙ୍କ୍ ବିଧ୍ବଂସୀ କ୍ଷେପଣାସ୍ତ୍ର ଏବଂ ବ୍ରିଟେନ୍ଠାରୁ ପାଇଥିବା ବଙ୍କର ବିଧ୍ବଂସୀ କ୍ଷେପଣାସ୍ତ୍ର ମଧ୍ୟ ପ୍ରୟୋଗ କରି ସମରାଭ୍ୟାସ କରୁଛି। ପ୍ରାୟ ମାସେ ହେଲା ୟୁକ୍ରେନ୍ ସୀମାରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ଏବଂ ଯେ କୌଣସି ସମୟରେ ଯୁଦ୍ଧ ଆରମ୍ଭ ହେବା ଆଶଙ୍କା ଥିବାରୁ ବିଭିନ୍ନ ରାଷ୍ଟ୍ରର ନାଗରିକମାନେ ୟୁକ୍ରେନ୍ ଛାଡ଼ୁଛନ୍ତି। ରୁଷ୍ ୟୁକ୍ରେନ୍ ସୀମାରେ ମୋଟ ୧ ଲକ୍ଷ ୩୦ ହଜାର ସୈନିକ ମୁତୟନ କରିଛି। ଏହା ସହିତ ରୁଷ୍ର ବିଭିନ୍ନ ରେଞ୍ଜ୍ର ଶକ୍ତିଶାଳୀ କ୍ଷେପଣାସ୍ତ୍ର ମଧ୍ୟ ମୁତୟନ ହୋଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଗାମୀ ରଣନୀତି ସଂପର୍କରେ ଆମେରିକା, ବ୍ରିଟେନ୍ ସମେତ ସମସ୍ତ ରାଷ୍ଟ୍ର ଅନ୍ଧାରରେ ଥିବା ବେଳେ ଯୁଦ୍ଧ ଟାଳିବାକୁ କୂଟନୈତିକ ପ୍ରୟାସ ଜାରି ରହିଛି। ପୁଟିନ୍ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି ଯେ ଯଦି ୟୁକ୍ରେନ୍ ନାଟୋରେ ସାମିଲ ହେବ ତା’ହେଲେ ପରମାଣୁ ଯୁଦ୍ଧ ହେବ। ରୁଷ୍ ପରମାଣୁ ଅସ୍ତ୍ର ନେବାକୁ ସକ୍ଷମ ମିଗ୍ ୩୧ ବିମାନ ମଧ୍ୟ ସୀମାରେ ମୁତୟନ କରିସାରିଛି।
ଆମେରିକୀୟ ପରମାଣୁ ବୁଡ଼ାଜାହାଜକୁ ଘଉଡ଼ାଇଲା ରୁଷ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ସଙ୍କଟ ନେଇ ରୁଷ୍କୁ ତୁହାକୁ ତୁହା ଚେତାବନୀ ଦେଉଥିବା ବେଳେ ଆମେରିକାର ଏକ ପରମାଣୁ ଶକ୍ତିସଂପନ୍ନ ବୁଡ଼ାଜାହାଜକୁ ଆଜି ରୁଷ୍ ଗୋଡ଼ାଇ ଗୋଡ଼ାଇ ଘଉଡ଼ାଇବାରେ ସକ୍ଷମ ହୋଇଛି। ଆମେରିକାର ଏଭଳି ପଦକ୍ଷେପକୁ ରୁଷ୍ କଦାପି ବରଦାସ୍ତ କରିବ ନାହିଁ ବୋଲି ମଧ୍ୟ ଚେତାଇ ଦେଇଛି। ରୁଷ୍ର ସାମୁଦ୍ରିକ ଅଂଚଳରେ ଆମେରିକୀୟ ପରମାଣୁ ବୁଡ଼ାଜାହାଜର ଉପସ୍ଥିତି ଏକ ବଡ଼ ବିପଦର ସୂଚନା ଦେଉଛି ଏବଂ ଏହା ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା ବଢ଼ାଉଛି ବୋଲି କୂଟନୀତିଜ୍ଞମନେ କହିଛନ୍ତି।