ଚୀନ ସହ ଉତ୍ତେଜନା ପରିପ୍ରେକ୍ଷୀରେ ମିତ୍ର ଦେଶ ସହ ନିୟମିତ ସମରାଭ୍ୟାସ କରିବାକୁ ଭାରତର ଯୋଜନା

ନୂଆଦିଲ୍ଲୀ : ଚୀନ ସହିତ ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ନିଜ ମିତ୍ର ଦେଶମାନଙ୍କ ସହ ନିୟମିତଭାବେ ସମରାଭ୍ୟାସ ଚଳାଇବାକୁ ନିଷ୍ପତ୍ତି ନେଇଛି । କରୋନା ମହାମାରୀ ଯୋଗୁଁ ଗତ ୪ ମାସ ହେଲା ଭାରତ ଅନ୍ୟ କୌଣସି ଦେଶ ସହିତ ସମରାଭ୍ୟାସ କରିନାହିଁ ।

କେବଳ ଚଳିତ ସପ୍ତାହରେ ଭାରତୀୟ ନୌସେନା ଆମେରିକୀୟ ନୌସେନା ସହ ଏକ ଛୋଟ ଧରଣର ସମରାଭ୍ୟାସ କରିଥିଲା । କିନ୍ତୁ ତାହା ଏକ ନିୟମିତ ସମରାଭ୍ୟାସ ନଥିଲା । ଚୀନ ସହ ଉତ୍ତେଜନା କମୁନଥିବାରୁ ଆଗକୁ ନିଜକୁ ପ୍ରସ୍ତୁତ ରଖିବାକୁ ଭାରତ ନିୟମିତଭାବେ ସମରାଭ୍ୟାସ କରିବାକୁ ଯୋଜନା କରୁଛି ।

ଆସନ୍ତା ସେପ୍ଟେମ୍ବର ମାସରେ ଜାପାନ ଓ ଭାରତ ମଧ୍ୟରେ ଏକ ନୌ ସମରାଭ୍ୟାସ କରିବାକୁ ଯୋଜନା ଚାଲିଛି । ଉଭୟ ଦେଶ ସହ ଚୀନର ବିବାଦ ଥିବାରୁ ଏହି ସମରାଭ୍ୟାସକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ଆରବ ସାଗରରେ ଫ୍ରାନ୍ସ ସହିତ ଏକ ନୌସମରାଭ୍ୟାସ କରିବାକୁ ଯୋଜନା କରାଯାଉଛି ।

ଉପସାଗରୀୟ ଅଞ୍ଚଳରେ ଥିବା ସାମରିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଅଞ୍ଚଳ ଷ୍ଟ୍ରେଟ ଅଫ ହୋର୍ମୁଜରେ ୟୁରୋପୀୟ ଦେଶମାନେ ଏକ ସମରାଭ୍ୟାସ କରିବାକୁ ଯୋଜନା କରୁଛନ୍ତି । ଏଥିରେ ଯୋଗ ଦେବାକୁ ଭାରତକୁ ଆମନ୍ତ୍ରଣ କରାଯାଇଛି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଲାବାର ଅଭ୍ୟାସ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ । ଏଥିରେ ଆମେରିକା ଓ ଜାପାନ ଯୋଗ ଦେବେ । ଅଷ୍ଟ୍ରେଲିଆକୁ ମଧ୍ୟ ଆମନ୍ତ୍ରଣ କରିବାକୁ ଯୋଜନା ଚାଲିଛି ।

ସମ୍ବନ୍ଧିତ ଖବର