ମିଆଁମାର୍‌ରେ ସାମରିକ ବିଦ୍ରୋହ, ପ୍ରଧାନମନ୍ତ୍ରୀ ଅଙ୍ଗ ସାନ ସୁ କି ଏବଂ ରାଷ୍ଟ୍ରପତି ଵିନ୍‌ ମାଇଣ୍ଟ୍‌ ଗିରଫ

ୟାଙ୍ଗନ(ମିଆଁମାର): ସୋମବାର ମିଆଁମାର ସେନାବାହିନୀ ଦେଶର ଶାସନକଳକୁ ବିନା ରକ୍ତପାତରେ ନିଜ କବ୍‌ଜାକୁ ନେଇଯାଇଛି। ଏଥି ସହିତ ଗଣତନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଅଙ୍ଗ ସାନ୍‌ ସୁ କି ଏବଂ ରାଷ୍ଟ୍ରପତି ଵିନ୍‌ ମାଇଣ୍ଟ୍‌ଙ୍କୁ ଅଟକ ରଖି ଦେଶରେ ବର୍ଷକ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି। ଫଳରେ ସେଠାରେ ଏକ ଦଶନ୍ଧି ଧରି ଚାଲିଥିବା ବେସାମରିକ ଶାସନର ଅନ୍ତ ଘଟିଛି। ଗତ ନଭେମ୍ବର ମାସରେ ଦେଶରେ ଅନୁଷ୍ଠିତ ନିର୍ବାଚନରେ ଭୀଷଣ ଅନିୟମିତତା ଓ ଦୁର୍ନୀତି ଭିତରେ ସୁ କି’ଙ୍କ ଏନ୍‌ଏଲ୍‌ଡି ଦଳ ଜିତିଥିବାରୁ ସେନା ଏପରି ପଦକ୍ଷେପ ନେଇଛି ବୋଲି ସଫେଇ ଦେଇଛି। ସେହିପରି ମିଆଁମାର ସେନାର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସେଠାରେ ତୁରନ୍ତ ଗଣତନ୍ତ୍ର ଫେରାଇ ଆଣିବା ଲାଗି ଆମେରିକା ଦେଇଥିବା ଆହ୍ବାନକୁ ସେନା ଅଗ୍ରାହ୍ୟ କରିଦେଇଛି।

ଗତ ନିର୍ବାଚନ ପରେ ପ୍ରଥମ କରି ଦେଶର ସଂସଦ ବସିବାକୁ ଥିବା ବେଳେ ଏହାର କିଛିଘଣ୍ଟା ଆଗରୁ ଆଜି ଭୋର୍‌ ବେଳକୁ ସେନାବାହିନୀ ପ୍ରମୁଖ ରାଷ୍ଟ୍ରନେତାମାନଙ୍କୁ ରାଜଧାନୀ ନେପିଦାଓରେ ବନ୍ଦୀ କରି ରଖିଥିଲା। ସେହିପରି ରାଜଧାନୀର ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯିବା ସହ ଚାରିଆଡ଼େ ସଶସ୍ତ୍ର ସୈନ୍ୟ ଏବଂ ଯାନ ଘେରି ରହିଥିଲେ ଏବଂ ଆକାଶରେ ସାମରିକ ବିମାନ ପଇଁତରା ମାରିଥିଲା। ଏହା ପରେ ସେନା ତାହାର ନିଜସ୍ବ ଟିଭି ଚାନେଲ୍‌ରେ ଦେଶରେ ଗୋଟିଏ ବର୍ଷ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। ଏଥି ସହିତ ପ୍ରାକ୍ତନ ସେନାଧ୍ୟକ୍ଷ ମାଇଣ୍ଟ୍‌ ସ୍ବେ ଏହି ସମୟ ତକ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇବେ ବୋଲି କୁହାଯାଇଥିଲା। ଦେଶର ଆଇନ ଅନୁସାରେ ପରିସ୍ଥିତିର ସମାଧାନ ହେବ ଏବଂ ବର୍ଷକ ପରେ ଦେଶରେ ପୁଣି ଥରେ ନିର୍ବାଚନ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି। ମିଆଁମାର ସେନାର ଏପରି ପଦକ୍ଷେପକୁ ଆମେରିକା, ଭାରତ, ବ୍ରିଟେନ୍‌ ଓ ଅଷ୍ଟ୍ରେଲିଆ ପିରି ପ୍ରମୁଖ ରାଷ୍ଟ୍ର ଦୃଢ଼ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର