ଗୋରଖପୁର: କ୍ଷୀରରେ ପାଣି ମିଶାଇବାରୁ ବର୍ଷେ ଜେଲ୍। ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଦୁଗ୍ଧବିକାଳୀଙ୍କୁ କୋର୍ଟ ଏକ ବର୍ଷ ଜେଲଦଣ୍ଡ ଦେବା ସହ ୨,୦୦୦ ଟଙ୍କା ଜରିମାନା ଦେବାକୁ କହିଛନ୍ତି। ଏହା ସହିତ କୋର୍ଟ କହିଛନ୍ତି ଯେ ଯଦି ଅଭିଯୁକ୍ତ ସଭାଜିତ ଯାଦବ ଜରିମାନା ନଦିଅନ୍ତି, ତେବେ ତାଙ୍କୁ ଆଉ ଏକ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ମାମଲାର ଶୁଣାଣି ୧୨ବର୍ଷ ଧରି ଚାଲିଥିବା ବେଳେ ଡିସେମ୍ବର ୧୯ରେ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ।
ଏହି ପ୍ରସଙ୍ଗରେ ଖାଦ୍ୟ ସୁରକ୍ଷା ବିଭାଗର ସହକାରୀ କମିଶନର କୁମାର ଗୁଞ୍ଜନ କହିଛନ୍ତି ଯେ, ଫେବ୍ରୁଆରି ୨୪ ୨୦୧୦ରେ ସିକ୍ରିଗଞ୍ଜ ନିକଟରେ ମୋଟରସାଇକେଲ ଯୋଗେ କ୍ଷୀର ବିକ୍ରି କରିବାକୁ ଯାଉଥିବା ବେଳେ ସଭାଜିତଙ୍କଠାରୁ ତତ୍କାଳୀନ ଫୁଡ୍ ଇନ୍ସପେକ୍ଟର ଚନ୍ଦ୍ରଭାନୁ କ୍ଷୀରର ନମୁନା ନେଇଥିଲେ। ଏହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିଲା। ପରୀକ୍ଷା ରିପୋର୍ଟ ଆସିବା ପରେ କ୍ଷୀରରେ ପାଣି ମିଶାଯାଇଥିବା ନିଶ୍ଚିତ ହୋଇଥିଲା। ଏନେଇ ମାମଲା ରୁଜୁ ହେବା ପରେ ଏହାର ଶୁଣାଶି ୧୨ବର୍ଷ ଧରି ଚାଲି ଆସୁଥିଲା। ଡିସେମ୍ବର ୧୯ରେ ଏହାର ଶୁଣାଣି କରି ଶେଷରେ ଅଭିଯୁକ୍ତ ସଭାଜିତଙ୍କୁ ବର୍ଷେ ଜେଲଦଣ୍ଡ ଦେଇଛନ୍ତି ବିଚାରପତି।