ମିଲ୍ଖା-ନିର୍ମଲଙ୍କ ପ୍ରେମ କାହାଣୀ
ଚଣ୍ଡିଗଡ : ମାତ୍ର ୪ ଦିନ ଭିତରେ ମହାନ ଧାବକ, ‘ଫ୍ଲାଇଂ ଶିଖ୍’ ଭାବେ ପରିଚିତ ମିଲ୍ଖା ସିଂହ ଏବଂ ତାଙ୍କ ପତ୍ନୀ ତଥା ଭାରତୀୟ ମହିଳା ଭଲିବଲ୍ ଦଳର ପୂର୍ବତନ ଅଧିନାୟିକା ନିର୍ମଲ କୌରଙ୍କର ପରଲୋକ ହୋଇଯାଇଛି। ନିଜ ସମୟର ଏହି ଚର୍ଚ୍ଚିତ ପ୍ରେମୀଯୁଗଳ ତଥା କ୍ରୀଡ଼ା ଦମ୍ପତି ଯେମିତି ଡକାଡକି ହୋଇ ଆରପାରିକୁ ଚାଲିଯାଇଛନ୍ତି। ଏମାନଙ୍କ ସଫଳ ଦାମ୍ପତ୍ୟ ଏବଂ ପ୍ରେମ କାହାଣୀ କିନ୍ତୁ ସବୁଦିନ ପାଇଁ ଅମର ହୋଇ ଯାଇଛି। ନିର୍ମଲଙ୍କ ସହ ପ୍ରଥମ ଦେଖା, ପ୍ରେମ ଏବଂ ବିବାହର ପ୍ରେମଭରା ସ୍ମୃତିକୁ ୯୧ ବର୍ଷରେ ପରଲୋକ ଗମନ କରିଥିବା ମିଲଖା ତାଙ୍କ ଆତ୍ମଜୀବନୀ ‘ରେସ୍ ଅଫ୍ ମାଇଁ ଲାଇଫ୍’ରେ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଝିଅ ସୋନିଆ ସହ ମିଶି ଲେଖିଥିବା ଏହି ପୁସ୍ତକରେ ମିଲଖା ଉଲ୍ଲେଖ କରିଛନ୍ତି, ‘ନିର୍ମଳ ଓ ମୋର ପ୍ରଥମ ଭେଟ ଶ୍ରୀଲଙ୍କାର ସିଲନଠାରେ ୧୯୫୫ ମସିହାରେ ହୋଇଥିଲା। ପରସ୍ପରକୁ ପ୍ରଥମ ଦେଖାରେ ପସନ୍ଦ କରୁଥିଲେ ମଧ୍ୟ ପରବର୍ତ୍ତୀ ୫ ବର୍ଷ ଆମ ସଂପର୍କ ଆଗକୁ ବଢ଼ି ପାରିନଥିଲା। ୫ ବର୍ଷ ପରେ ଅର୍ଥାତ୍ ୧୯୬୦ ମସିହାରେ ପୁଣି ଥରେ ତାଙ୍କ ସହ ଅପ୍ରତ୍ୟାଶିତ ଭାବେ ଭେଟ ହୋଇ ଯାଇଥିଲା। ସେତେବେଳେ ସେ ଦିଲ୍ଲୀର ଲେଡି ଇରୱିନ୍ କଲେଜ୍ରେ ଉପଶାରୀରିକ ଶିକ୍ଷା ନିବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଦିନେ ମୁଁ ଯେତେବେଳେ ଷ୍ଟାଡିୟମ୍ରେ ଅଭ୍ୟାସ କରୁଥିଲି, ଏକ ଭଲିବଲ୍ ମ୍ୟାଚ୍ରେ ଅତିଥି ହେବାକୁ ମୋତେ ସେମାନେ ଅନୁରୋଧ କରିଥିଲେ। ମୁଁ ଯେତେବେଳେ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କଲି ସେତେବେଳେ ସେମାନେ ‘‘ଆମ ପାଇଁ ଗର୍ବ ଓ ଗୌରବର ବିଷୟ ଯେ ‘ଫ୍ଲାଇଂ ଶିଖ୍’ ମିଲଖା ସିଂହ ଆଜି ଆମ ଗହଣରେ ଅଛନ୍ତି’’ ବୋଲି ଡାକବାଜି ଯନ୍ତ୍ରରେ ଘୋଷଣା କରିଥିଲେ। ସେତେବେଳେ ସମସ୍ତଙ୍କ ଆଖି କେବଳ ମୋ ଉପରେ କେନ୍ଦ୍ରୀଭୂତ ହୋଇଥିଲା। ସେଥିପାଇଁ ମୋତେ ବହୁତ ଲାଜ ଲାଗିଥିଲା। ଯଥାଶୀଘ୍ର ମୁଁ ଆସନ ଗ୍ରହଣ କରି ନେଇଥିଲି। ମ୍ୟାଚ୍ ଶେଷ ହେବାର ଠିକ୍ ପରେ ପରେ ଜଣେ ଯୁବତୀ ପାଖକୁ ଆସି ‘ସତ୍ ଶ୍ରୀୟକାଲ’ କହି ମୋତେ ଅଭିବାଦନ ଜଣାଇଥିଲେ। ମୁଁ ତାଙ୍କ ମୁହଁକୁ ଦେଖି ସେ ନିମ୍ମି ବୋଲି ତୁରନ୍ତ ଚିହ୍ନି ଯାଇଥିଲି। ହେଲେ ସେ ବହୁତ ବଦଳି ଯାଇଥିଲେ।
ସଲୱାର-କମିଜ୍ ପିନ୍ଧି ଅତ୍ୟନ୍ତ ନମ୍ର ଏବଂ ଭଦ୍ରତାର ସହ କଥା କହୁଥିବା ଏବଂ ନିଜ ଲମ୍ବାଚୁଟିରେ ଦୁଇଟି ବେଣୀ ପକାଉଥିବା ସ୍କୁଲ୍ ପଢ଼ୁଆ ଝିଅ ଆଉ ସେ ନଥିଲେ। ବରଂ ଶାଢ଼ି ପିନ୍ଧା ଏବଂ ଆତ୍ମବିଶ୍ବାସରେ ଭରପୂର ସୁନ୍ଦରୀ ପେସାଦାର ମହିଳା ପାଲଟି ଯାଇଥିଲେ। ପ୍ରତିଯୋଗିତା ପରେ ସେ ମୋ ପାଖକୁ ଆସି ଷ୍ଟାଡିୟମ୍ ନିକଟରେ ଥିବା ତାଙ୍କ ହଷ୍ଟେଲ୍କୁ ଯାଇ ଚା’ ପିଇବାକୁ ଅନୁରୋଧ କରିଥିଲେ। ଆମେ ଯେତେବେଳେ ସେଠାକୁ ଯାଉଥିଲୁ ତାଙ୍କ ପ୍ରତି ଥିବା ପୁରୁଣା ଆସକ୍ତି ଓ ଭଲ ପାଇବା ମୋ ମନରେ ପୁଣି ଜାଗ୍ରତ ହୋଇଥିଲା। ଏହା ପରେ ସେ ମୋତେ ତାଙ୍କ ମନର ଭାବନା ପ୍ରକାଶ କରିଥିଲେ। ମୁଁ ତାଙ୍କୁ କିଭଳି ଭାବେ ଏକୁଟିଆ କରି ଛାଡ଼ି ଚାଲି ଯାଇଥିଲି, ସେ କଥା ବର୍ଣ୍ଣନା କରିଥିଲେ। କିଛି ସମୟର ନିରବତା ପରେ ମୋ ପାଖରେ ତୁମ ପ୍ରଶ୍ନର କୌଣସି ଉତ୍ତର ନାହିଁ ବୋଲି ମୁଁ କହିଥିଲି। ସେହିଦିନଠାରୁ କିନ୍ତୁ ଆମ ସଂପର୍କ ସବୁଦିନ ପାଇଁ ବଦଳି ଯାଇଥିଲା ଏବଂ ଆମେ ପରସ୍ପରକୁ ଅଧିକ ଥର ଭେଟିବାକୁ ଲାଗିଥିଲୁ। ଏହି ସମୟରେ ମଧ୍ୟ ମୋ ପେସାଦାର ଜୀବନ ନୂଆ ମୋଡ଼ ନେଇଥିଲା। ସେନାରୁ ଇସ୍ତଫା ଦେବା ପରେ ମୁଁ ଚଣ୍ଡିଗଡରେ ରହିବା ଆରମ୍ଭ କରିଥିଲି। ନିମ୍ମି ଖୁବଶୀଘ୍ର ଲେଡି ଇରୱିନ୍ କଲେଜ୍ ଚାକିରି ଛାଡ଼ି ପଞ୍ଜାବ କ୍ରୀଡ଼ା ବିଭାଗରେ ସହାକାରୀ ନିର୍ଦ୍ଦେଶକ ପଦରେ ଯୋଗ ଦେଇଥିଲେ। ସେଠାରେ ମୁଁ ଉପ ନିର୍ଦ୍ଦେଶକ ଥିଲି। ଏକାଠି କାମ କରୁଥିବାରୁ ଆମ ମିଳାମିଶା ଆହୁରି ବଢ଼ି ଯାଇଥିଲା।
ଏକଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ବି ପହଞ୍ଚିଥିଲା। ନିମ୍ମିଙ୍କ ପରିବାରବର୍ଗ ମୋ ସହ ତାଙ୍କ ସଂପର୍କକୁ ସ୍ବୀକୃତି ଦେଉ ନଥିଲେ। ସେମାନେ ଏଥିନେଇ ଏକ ପତ୍ର ମୁଖ୍ୟମନ୍ତ୍ରୀ ପରତାପ ସିଂହଙ୍କ ପାଖକୁ ଲେଖିଥିଲେ। ସେମାନଙ୍କ ଝିଅକୁ ମୋଠାରୁ ଦୂରେଇ ରଖିବାକୁ ସେମାନେ ପତ୍ରରେ ଅନୁରୋଧ କରିଥିଲେ। ଏଭଳି ଏକ ପତ୍ର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋତେ ଦିନେ ଡାକି କ’ଣ ଚାଲିଛି ତାହା ଜାଣିବାକୁ ଚାହିଁଥିଲେ। ମୁଁ ତାଙ୍କୁ ସତକଥା କହିଥିଲି। ଆମ ଭିତରେ କୌଣସି ଖରାପ ସଂପର୍କ ନଥିବା ଜଣାଇଥିଲି। ମୁଖ୍ୟମନ୍ତ୍ରୀ ମୋତେ ତାଦିଗ କରି କହିଥିଲେ ଯେ ନିମ୍ମି ସହିତ ତୁମ ସଂପର୍କ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଏଇଟା ଠିକ୍ କଥା ନୁହେଁ। ମୁଁ ତାଙ୍କୁ ନମ୍ରତାର ସହ କହିଥିଲି ‘ସାର୍ ଆପଣ ଯଦି ମୋ ଉପରେ ରାଗିଛନ୍ତି, ତାହାଲେ ମୁଁ ଇସ୍ତଫା ଦେଇ ଚଣ୍ଡିଗଡ ଛାଡ଼ି ଚାଲିଯିବି। ପ୍ରଥମେ କିନ୍ତୁ ଆପଣ ମୋତେ ମୋ ପକ୍ଷ ରଖିବାର ସୁଯୋଗ ଦିଅନ୍ତୁ। ମୁଁ ନିମ୍ମିଙ୍କୁ ଭଲପାଉଛି। ତାଙ୍କୁ ବିବାହ କହିବାକୁ ଚାହୁଛି। ସେ ଧୈର୍ଯ୍ୟର ସହ ମୋ କଥା ଶୁଣି ଉତ୍ତର ଦେଇଥିଲେ’ ଯଦି ତୁମେ ନିମ୍ମିଙ୍କୁ ବିବାହ କରିବାକୁ ଚାହୁଛ, ତାହାଲେ ଆଗେଇପାର, ନହେଲେ ତାଙ୍କୁ ଭେଟିବା ବନ୍ଦ କର। ମୁଖ୍ୟମନ୍ତ୍ରୀ ଆମ ବିବାହରେ ସମ୍ମତି ଦେଇଥିବାରୁ ମୁଁ ବହୁତ ଖୁସି ହୋଇଥିଲି। ଏହି ଅନ୍ତଃଜାତି ବିବାହକୁ ମୋ ପରିବାର ବି ବିରୋଧ କରିଥିଲା। ସବୁ ବାଧାବିଘ୍ନକୁ ପଛରେ ପକାଇ ଆମେ କିନ୍ତୁ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲୁ।’