ଆଜି ଉପବାସ ରହିବେ ଲକ୍ଷଲକ୍ଷ ଚାଷୀ

କୃଷକଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବି ରହିବେ ଉପବାସରେ
ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଅବରୋଧ
ଶାହଙ୍କ ସହ ଆଲୋଚନା କଲେ କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୮ ଦିନ ହେଲା ଦିଲ୍ଲୀରେ ବିରାଟ କୃଷକ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀର ବିଭିନ୍ନ ସୀମାରେ ଡେରା ପକାଇଥିବା ଲକ୍ଷଲକ୍ଷ କୃଷକ ସୋମବାର ସିଂଘୁ ସୀମାରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ଯାଏ ଉପବାସ ରହିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ କୃଷକଙ୍କ ଏହି ଅନଶନକୁ ସମର୍ଥନ ଜଣାଇବା ସହ ସେ ଓ ଆପ୍ କର୍ମୀମାନେ ଆସନ୍ତାକାଲି କୃଷକଙ୍କ ସହ ଉପବାସରେ ରହିବେ ବୋଲି ସୂଚନା ଦେଇଛନ୍ତି।

ନୂତନ କୃଷି ଆଇନରେ କେତେକ ସଂଶୋଧନ ପାଇଁ କେନ୍ଦ୍ର ସରକ‌ାର ପ୍ରସ୍ତାବ ଦେଇଥିବା ସତ୍ତ୍ବେ କୃଷକ ସଂଗଠନଗୁଡ଼ିକ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ସରକାର କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଏବେ ହଜାର ହଜାର ସଂଖ୍ୟାରେ କୃଷକ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରୁଥିବାରୁ ରାଜସ୍ଥାନ ଓ ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଚାଷୀମାନେ ଅବରୋଧ କରି ରଖିଛନ୍ତି। ଦିଲ୍ଲୀକୁ ସଂ‌‌ଯୋଗ କରୁଥିବା ସମସ୍ତ ରାସ୍ତାରେ ପୁଲିସ ବ୍ୟାରିକେଡ୍‌ ନିର୍ମାଣ କରି ପରିସ୍ଥିତି ଉପରେ କଡ଼ା ନଜର ରଖିଛି।

ଆଜି ଶାହାଜାହାନପୁରଠାରେ କୃଷକ ଆନ୍ଦୋଳନରେ ‘ସ୍ବରାଜ ଇଣ୍ଡିଆ’ର ମୁଖ୍ୟ ଯୋଗେନ୍ଦ୍ର ଯାଦବ ଉପସ୍ଥିତ ରହି କୃଷକଙ୍କ ଦାବିକୁ କେନ୍ଦ୍ର ସରକାର ମାନିନେବାକୁ ଆହ୍ବାନ ଜଣାଇଥିଲେ। ସେହିଭଳି କେନ୍ଦ୍ର ସରକାର କୃଷକଙ୍କ ଦାବି ମାନି ନିଅନ୍ତୁ ବୋଲି ଆର୍‌ଜେଡି ନେତା ମନୋଜ ଝା ଦାବି କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ସରକାର ଖଲିସ୍ତାନୀ ଓ ପାକିସ୍ତାନୀ କହିବା ଦୁର୍ଭାଗ୍ୟଜନକ ବୋଲି ଝା’ କହିଛନ୍ତି। କେତେଜଣ କେନ୍ଦ୍ରମନ୍ତ୍ରୀ କୃଷକମାନଙ୍କୁ ଦେଶଦ୍ରୋହୀ, ଚୀନ୍‌ ଓ ପାକିସ୍ତାନ ଏଜେଣ୍ଟ, ଖଲିସ୍ତାନୀ ବୋଲି କହିବା ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ କହିଛନ୍ତି। ସେହିଭଳି କୃଷକ ଆନ୍ଦୋଳନକୁ ସମର୍ଥନ କରି ଆଜି ଯନ୍ତରମନ୍ତରଠାରେ ପଞ୍ଜାବ ସାଂସଦଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‌ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କେନ୍ଦ୍ର ସରକାର ଶିଳ୍ପପତିଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଭାରତୀୟ କିଷାନ୍‌ ସଂଘର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି। ସଂସଦରେ କୃଷି ଆଇନ ଆସିବା ପୂର୍ବରୁ ପଞ୍ଜାବ, ହରିୟାଣାରେ ଶିଳ୍ପପତିମାନେ ବଡ଼ବଡ଼ ଗୋଦାମ, ଷ୍ଟୋରେଜ୍‌ ୟୁନିଟ୍‌ ଓ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ କରି ସାରିଥିଲେ। ତେଣୁ ସରକାର କୌଣସି ପରିସ୍ଥିତିରେ କୃଷକଙ୍କ ସହ ନାହାନ୍ତି ବୋଲି ଟିକାୟତ କହିଛନ୍ତି।

ଅନ୍ୟପକ୍ଷରେ କୃଷକଙ୍କ ସହ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ସେହିପରି କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ପୁଣିଥରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ କେନ୍ଦ୍ରମନ୍ତ୍ରୀ ସୋମ୍‌ ପ୍ରକାଶ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର