ନୂଆଦିଲ୍ଲୀ: ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଭାରତର ଲକ୍ଷ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି କରିଥିବା ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ସତର୍କ କରାଇଛି। ବିଶେଷ କରି ବୟନ, ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ, ଗହଣା, ରତ୍ନପଥର, ଅଟୋମୋବାଇଲ୍ ଯନ୍ତ୍ରାଂଶ, ରସାୟନ, ଫାର୍ମା, ସିଫୁଡ୍‌, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ କ‌ାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ‌ ଲୋକ ଚାକିରି ହରାଇବା ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଆମେରିକା ଲଗାଇଥିବା ଶୁଳ୍କ ପ୍ରଭାବରେ ସେଠାରେ ଭାରତୀୟ ଜିନିଷ ୩୫ ପ୍ରତିଶତ ମହଙ୍ଗା ହୋଇଯିବ। ତାହା ୪୮୦୦ ‌କୋଟି ଡଲାରର ରପ୍ତାନିକୁ ସିଧାସଳଖ ପ୍ରଭାବିତ କରିବ। ଭାରତରୁ ପ୍ରତିବର୍ଷ ଆମେରିକାକୁ ୧.୭ ଲକ୍ଷ କୋଟି ଟଙ୍କାର ଇଞ୍ଜିନିୟରିଂ ଉତ୍ପାଦ, ୯୦ ହଜାର କୋଟି ଟଙ୍କାର ଗହଣା, ୯୨,୦୦୦ କୋଟି ଟଙ୍କାର ଫାର୍ମା ଉତ୍ପାଦ ରପ୍ତାନି କରାଯାଉଛି। ଆହ୍ବାନ ସତ୍ତ୍ବେ ଆମେରିକାକୁ ଡରିବାର କୌଣସି କାରଣ ନାହିଁ ବୋଲି ଚାମ୍ବର ପକ୍ଷରୁ କୁହାଯାଇଛି। ଆମେରିକାରୁ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରି ସେହି ଆବଶ୍ୟକତାକୁ ଜର୍ମାନୀ, ବ୍ରିଟେନ, ସିଙ୍ଗାପୁର ଓ ମାଲେସିଆ ଜରିଆରେ ପୂରଣ କରିବା ଲାଗି ଉଦ୍ୟମ କରିବାକୁ ଚାମ୍ବର ପରାମର୍ଶ ଦେଇଛି। ଆମେରିକାରୁ ବିମାନ ଯନ୍ତ୍ରାଂଶ, ରାସାୟନିକ ପଦାର୍ଥ, ଧାତବ, ଖଣିଜ, ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ପଦାର୍ଥ ଆମଦାନି ନେଇ ରହିଥିବା ନିର୍ଭରଶୀଳତା ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି। 

Advertisment

ଅନ୍ୟପକ୍ଷରେ ଶୁଳ୍କ ଦ୍ବାରା ଗୁରୁତର ପ୍ରଭାବିତ ହୋଇଥିବା ରପ୍ତାନିକାରୀମାନେ ସରକାରଙ୍କଠାରୁ କୋଭିଡ୍ ମହାମାରୀ ସମୟ ଭଳି ସହାୟତା ଲୋଡ଼ିଛନ୍ତି। ଋଣ ଉପରେ ସରକାରୀ ଗ୍ୟ‌ାରେଣ୍ଟି, ସୁଧରେ ରିହାତି ଏବଂ କର୍ମଚାରୀମାନଙ୍କ ବାବଦ ଭବିଷ୍ୟନିଧି ପାଣ୍ଠି ଓ କର୍ମଚାରୀ ରାଜ୍ୟ ବୀମା ପାଣ୍ଠି ଜମା କରିବା ଭଳି ସହାୟତା ଦେବାକୁ ରପ୍ତାନିକାରୀମାନେ ସରକାରଙ୍କୁ କହିଛନ୍ତି। ଜେମ୍ସ ଆଣ୍ଡ୍‌ ଜୁଏଲାରି ରପ୍ତାନି ପ୍ରସାର ପରିଷଦର ଅଧ୍ୟକ୍ଷ କିରୀଟ ଭଂଶାଲି କହିଛନ୍ତି ଯେ ଆମ କର୍ମଚାରୀମାନଙ୍କ ପାଇଁ ଏହା ଭୂମିକମ୍ପ ସଦୃଶ। ଋଣ ପରିଶୋଧ କରିବା କଷ୍ଟକର ହେବ। ତେଣୁ ବ୍ୟାଙ୍କଗୁଡ଼ିକ ଆମ ପ୍ରତି କୋହଳ ମନୋଭାବ ପୋଷଣ କରିବା ଦରକାର। ଶିଳ୍ପକୁ ସରକାର ସହଯୋଗ କରିବା ଉଚିତ ବୋଲି ସେ କହିଛନ୍ତି। ଭାରତୀୟ ରପ୍ତାନିକାରୀ ସଂଗଠନ ମହାସଂଘ (ଏଫ୍‌ଆଇଇଓ) ପକ୍ଷରୁ ଋଣ ପରିଶୋଧ ଉପରେ ଏକ ବର୍ଷ ମୋରାଟୋରିୟମ ଦେବାକୁ ଦାବି କରାଯାଇଛି।