କମ୍ ଅଳଙ୍କାର ପିନ୍ଧ, ଡ୍ୟୁଟିଫ୍ରି ସପ୍ ଯିବା‌ ବନ୍ଦ କର: କ୍ୟାବିନ କ୍ରୁଙ୍କୁ କହିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଗତମାସରେ କେନ୍ଦ୍ର ସରକାର ଟାଟା ଗ୍ରୁପକୁ ଏୟାର ଇଣ୍ଡିଆକୁ ହସ୍ତାନ୍ତର କରିଥିଲେ । ଫଳରେ ଦୀର୍ଘ ୬୯ ବର୍ଷ ପରେ ପୁଣି ଥରେ ଏୟାରଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିଥିଲା। ‌ଏତେ ବର୍ଷ ପରେ ଟାଟା ଗ୍ରୁପ ଅଧିନକୁ ଏୟାରଇଣ୍ଡିଆ ଆସିବା ପରେ ଏବେ ଟାଟା ପକ୍ଷରୁ ଏହାକୁ ନୂଆ ରୂପ ଦେବାକୁ ଚେଷ୍ଟା କରାଯାଉଛି। ଏନେଇ ଆଜି ଏୟାରଇଣ୍ଡିଆ କ୍ୟାବିନ୍ କ୍ରୁମାନଙ୍କ ପାଇଁ ନୂଆ ମାଗଦର୍ଶିକା ଜାରି କରିଛି।

ନୂଆ ମାଗଦର୍ଶିକା ଅନୁଯାୟୀ

୧. କଷ୍ଟମ୍ସ ଏବଂ ସୁରକ୍ଷା ଯାଞ୍ଚରେ ବିଳମ୍ବ ନହେବା ପାଇଁ କ୍ୟାବିନ କ୍ରୁମାନେ କମ ଅଳଙ୍କାର ପିନ୍ଧିବେ।

୨. କ୍ୟାବିନ କ୍ରୁମାନେ ଡ୍ୟୁଟିଫ୍ରି ସପ୍ ପରିଦର୍ଶନ କରିବା ପରିବର୍ତ୍ତେ ଇମିଗ୍ରେସନ ଏବଂ ସୁରକ୍ଷା ଯାଞ୍ଚ ସମାପ୍ତ କରି ଶୀଘ୍ର ବୋର୍ଡିଂ ଗେଟ ପାଖକୁ ଯିବେ।

୩. ସମସ୍ତ କ୍ୟାବିନ କର୍ମଚାରୀମାନେ କ୍ୟାବିନରେ ଉପସ୍ଥିତ ଅଛନ୍ତି କି ନାହିଁ, ସେନେଇ କ୍ୟାବିନ ସୁପରଭାଇଜର ନିଶ୍ଚିତ କରିବେ।

୪. ବୋର୍ଡିଂ ସମାପ୍ତ ନହେବା ପର୍ଯ୍ୟନ୍ତ କ୍ୟାବିନ କର୍ମଚାରୀମାନେ କୌଣସି ଖାଦ୍ୟ ଖାଇ‌ପାରିବେ ନାହିଁ କି କିଛି ପିଇ ପାରିବେ ନାହିଁ।

ଏୟାର ଇଣ୍ଡିଆର ପୂର୍ବ ନିର୍ଦ୍ଦେଶକୁ କ୍ୟାବିନ କ୍ରୁ ୟୁନିଅନ୍ ବିରୋଧ କରିବା ପ‌ରେ ଏବେ ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି ଏୟାର ଇଣ୍ଡିଆ। ପୂର୍ବ ନିର୍ଦ୍ଦେଶରେ କୁହାଯାଇଥିଲା ଯେ, କ୍ୟାବିନ କ୍ରୁ ସଦସ୍ୟମାନଙ୍କ ବିଏମଆଇ ( ବଡି ମାସ ଇଣ୍ଡେକ୍ସ ) ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିଏମଆଇ ସାଧାରଣତଃ ଗୋଟିଏ ଲୋକ କେତେ ମୋଟା ତାହା ଜଣାପଡ଼େ । ଏଣୁ ସରଳ ଭାଷାରେ କହିଲେ ମୋଟା କ୍ୟାବିନ କ୍ରୁମାନଙ୍କୁ ବିମାନରେ ପ୍ରବେଶ ଉପରେ କଟକଣା ଲଗାଯାଇପାରେ । ଏହା ହିଁ କର୍ମଚାରୀମାନଙ୍କୁ ଚିନ୍ତିତ କରିଥିଲା । ଏହା ବିରୋଧରେ ଏୟାର ଇଣ୍ଡିଆର ୨ଟି ୟୁନିଅନ ପ୍ରତିବାଦ ଆରମ୍ଭ କରିଥିଲେ । ଏହି ନିର୍ଦ୍ଦେଶ ଡିଜିସିଏ ନିୟମର ଉଲ୍ଲଙ୍ଘନ ବୋଲି ସେମାନେ କହିଥିଲେ ।

ସମ୍ବନ୍ଧିତ ଖବର