ସର୍ବନିମ୍ନ ମୌଳିକ ଆୟ ପ୍ରଦାନ ଯୋଜନା ରାହୁଲଙ୍କର ନୁହେଁ; ପୂର୍ବରୁ ବି ଅନେକ ରାଷ୍ଟ୍ରରେ ଏହା ଲାଗୁ ହୋଇଛି, ଜାଣନ୍ତୁ କେତେ ସଫଳ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ‘ଦଳ ନିର୍ବାଚନ ଜିତିଲେ ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କୁ ସର୍ବନିମ୍ନ ମୌଳିକ ଆୟ ପ୍ରଦାନ କରାଯିବ। ବିଶ୍ୱର କୌଣସି ସରକାର ଏପରି କରିନାହାନ୍ତି’ ବୋଲି ରାହୁଲ ଦାବି କରି ସୋମବାର ରାୟପୁରର ଏକ କୃଷକ ରାଲିରେ ଏପରି କହିଥିଲେ। ଏହାକୁ ଏକ ‘ଐତିହାସିକ ଘୋଷଣା’ ବୋଲି ନାମ ଦେଇ କଂଗ୍ରେସ ତା’ର ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ରାହୁଲଙ୍କର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲା। ଖାଲି ସେତିକି ନୁହେଁ, ରାହୁଲ ଗାନ୍ଧୀ ନିଜେ ତାଙ୍କ ଟୁଇଟ୍‌ ଆକାଉଣ୍ଟ୍‌ରେ ଏକ ଟୁଇଟ୍‌ କରି ଏପରି ଏକ ଶପଥ ନେଇଥିଲେ। ତେବେ, ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏପରି ନିଷ୍ପତ୍ତି ନେବାରେ ରାହୁଲ ପ୍ରଥମ ନୁହଁନ୍ତି। ପୂର୍ବରୁ ବି ଯେଉଁ ଦେଶଗୁଡ଼ିକରେ ଏପରି ନିୟମ ଲାଗୁ ହୋଇଛି ସେ ସଂପର୍କରେ ଆଲୋଚନା ନିମ୍ନରେ କରାଯାଇଛି।

ପୂର୍ବରୁ ବ୍ରାଜିଲ୍‌ ମଧ୍ୟ ଏପରି ଏକ ନିଷ୍ପତ୍ତି ନେଇ ସାରିଛି। ଲାଟିନ୍‌ ଆମେରିକାର ଏହି ଦେଶ ସମସ୍ତଙ୍କୁ ସର୍ବନିମ୍ନ ମୌଳିକ ଆୟ ପ୍ରଦାନ କରିବାରେ ପ୍ରଥମ। ୨୦୦୪ ମସିହାରେ ବ୍ରାଜିଲ୍‌ ସରକାର ‘ଭୋଲ୍‌ସା ଫ୍ୟାମିଲିଆ ପ୍ରୋଗ୍ରାମ’ ଜରିଆରେ ଶିଶୁ ସମେତ ପରିବାରକୁ ସର୍ବନିମ୍ନ ମୌଳିକ ଆୟ ପ୍ରଦାନ କରାଗଲା। ୨୦୧୩ ମସିହା ପର୍ଯ୍ୟନ୍ତ ପ୍ରତି ପରିବାରକୁ ମାସିକ ୩୦ ଡଲାର ଦିଆଯାଉଥିଲା। ଯାହାକି ସେ ଦେଶରେ ପ୍ରଚଳିତ ସର୍ବନିମ୍ନ ମଜୁରୀର ୪.୪ ପ୍ରତିଶତ।

ସେହିପରି ୨୦୧୧ ମସିହାରେ ଇରାନ୍‌ ରାଷ୍ଟ୍ରପତି ମହମ୍ମଦ ଅହମ୍ମାଦିନେଜାଦ ତାଙ୍କ ଦେଶ ପାଇଁ ବି ଏହି ନିଷ୍ପତ୍ତି ନେଇଥିଲେ। ବଦଳରେ ତୈଳ ଦର ବୃଦ୍ଧି ହେତୁ ପ୍ରଥମରୁ ତାହା ବିଶେଷ ଲୋକପ୍ରିୟତା ହାସଲ କରିପାରିଲା ନାହିଁ। କିଛି ମାସ ପରେ ଲୋକ ତାହାକୁ ଗ୍ରହଣ କଲେ। ଯୋଜନା ମୁତାବକ, ପ୍ରତ୍ୟେକ ଘରକୁ ମାସିକ ସେ ସମୟରେ ୪୦ ଡଲାର ପ୍ରଦାନ କରାଯାଉଥିଲା।

୨୦୦୫ରୁ ୨୦୦୯ ମସିହାରେ ମେକ୍ସିକୋ ସରକାର ‘ପ୍ରୋଗ୍ରାମା ଦେ ଆପୋୟ’ଶୀର୍ଷକରେ ଏହି ନିୟମ ଲାଗୁ କରିଥିଲେ। ଯାହା ଦ୍ୱାରା ଦେଶର ପ୍ରତ୍ୟେକ ପରିବାରକୁ ସର୍ବନିମ୍ନ ମଜୁରୀର ୧୦ ପ୍ରତିଶତ ପ୍ରଦାନ କରାଯାଉଥିଲା।

୨୦୦୯ରୁ ୨୦୦୮ ଭିତରେ ମାତ୍ର ୧ ବର୍ଷ ପାଇଁ ନାମିବିୟା ଦେଶର ଗ୍ରାମବାସୀଙ୍କୁ ‘ପାଇଲଟ୍‌’ ପ୍ରକଳ୍ପ ଦ୍ୱାରା ସର୍ବନିମ୍ନ ମୌଳିକ ଆୟ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର