ନୂଆଦିଲ୍ଲୀ : ଓଡ଼ିଶାରେ ୨୦୧୦ରୁ ୨୦୨୦ ପର୍ଯ୍ୟନ୍ତ ଖଣି ଦୁର୍ଘଟଣାରେ ୪୫ ଜଣ ପ୍ରାଣ ହରାଇଛନ୍ତି ଓ ୭୨ ଜଣ ଆହତ ହୋଇଛନ୍ତି। ଲୋକସଭାରେ ଆଜି ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ‌କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି। ରାଷ୍ଟ୍ରମନ୍ତ୍ରୀ ତେଲିଙ୍କ ସୂଚନା ହେଲା, ଉପରୋକ୍ତ ସମୟ ଅବଧି ମଧ୍ୟରେ ୪୨ଟି ଗମ୍ଭୀର ଓ ୬୯ଟି ଗୁରୁତର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ମୃତାହତମାନଙ୍କୁ ଆଇନ ଅନୁସାରେ ସମ୍ବନ୍ଧିତ ଖଣି କର୍ତ୍ତୃପକ୍ଷଙ୍କ ଦ୍ବାରା କ୍ଷତିପୂରଣ ପ୍ରଦାନ କରାଯାଇଥାଏ। ଦୁର୍ଘଟଣାରେ ଆହତ ଶ୍ରମିକଙ୍କ ସୁରକ୍ଷା ପାଇଁ ଖଣି ଆଇନ, ୧୯୫୨ରେ ବ୍ୟବସ୍ଥା ରହିଥିବା ସେ କହିଛନ୍ତି।