ଖଣି ଖନନ ପ୍ରସଙ୍ଗ: ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଏଜିଙ୍କୁ କହିଲେ ସୁପ୍ରିମକୋର୍ଟ

ରାଜ୍ୟ ସରକାର ଓକିଲମାନଙ୍କ ଭିନ୍ନଭିନ୍ନ ଆଭିମୁଖ୍ୟ, ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ଓଡ଼ିଶାରେ ଖଣି ଖନନ ତଥା ଖଣିରୁ ଉତ୍ତୋଳିତ ସାମଗ୍ରୀକୁ ଉଠାଇବାକୁ ନେଇ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ଓକିଲମାନେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବା ପ୍ରସଙ୍ଗକୁ ନେଇ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମଣା, ବିଚାରପତି ଜଷ୍ଟିସ୍‌ କେ ମୁରାରୀ ଓ ବିଚାରପତି ଜଷ୍ଟିସ ହୀମା କୋହଲୀ ଏହି ପ୍ରସଙ୍ଗ ଉପରେ ଓଡ଼ିଶା ଆଡଭୋକେଟ୍‌ ଜେନେରାଲ (ଏଜି) କୋର୍ଟରେ ଉପସ୍ଥିତ ହୋଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୮ରେ ଏଜିଙ୍କୁ ଉପସ୍ଥିତ ହେବାକୁ କୁହାଯାଇଛି।

ଖଣି କଂପାନିମାନଙ୍କ ଉତ୍ତୋଳିତ ସାମଗ୍ରୀକୁ ଉଠାଇବା ତଥା ଆବଶ୍ୟକ ମଞ୍ଜୁରୀ ହାସଲ ପରେ ଖଣି ଖନନ ଆରମ୍ଭ କରିବାକୁ ନେଇ ଆଜି ଖଣ୍ଡପୀଠ ଏକାଧିକ ଆବେଦନର ଶୁଣାଣି କରିଥିଲେ। ୨୦୧୪ରେ ଏନ୍‌ଜିଓ ‘କମନ କଜ୍‌’ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲା ପରିପ୍ରେକ୍ଷୀରେ ଏହି ସବୁ ଆବେଦନର ଶୁଣାଣି ହୋଇଥିଲା। ଗୋଟିଏ ଆବେଦନ ଉପରେ ରାଜ୍ୟ ସରକାରଙ୍କ ଓକିଲ ଜବାବ ଦାଖଲ ପାଇଁ ସମୟ ଲୋଡ଼ିବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ଖଣ୍ଡପୀଠ କହିଲେ ଯେ ରାଜ୍ୟ ସରକାରଙ୍କ ଓକିଲମାନେ ଗୋଟିଏ ପ୍ରସଙ୍ଗ ଉପରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ସେମାନେ ଏ ଭଳି କରିପାରିବେ ନାହିଁ। ଆମେ ଏହି ପ୍ରକ୍ରିୟାକୁ ତଦାରଖ କରିପାରିବୁ ନାହିଁ। ଆମ ପାଖରେ ଅନ୍ୟାନ୍ୟ ମାମଲା ରହିଛି। ଯଦି ସେମାନେ ପସନ୍ଦ କରୁଛନ୍ତି, ରାଜି ହୋଇଯାଉଛନ୍ତି। ଯଦି ସେମାନେ ରାଜି ହେଉନାହାନ୍ତି, କହୁଛନ୍ତି ଆମେ ନିର୍ଦ୍ଦେଶ ନେବୁ, ଅନ୍ୟ କିଛି ଦାଖଲ କରିବୁ ଇତ୍ୟାଦି। ରାଜ୍ୟ ସରକାରଙ୍କ ଓକିଲ ବିଭିନ୍ନ ଆବେଦନ ଉପରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଥିଲେ।

ଗୋଟିଏ ଆବେଦନ ପରିପେକ୍ଷୀରେ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯେ କ୍ଷତିପୂରଣ ପୈଠ ପରେ ବି କାହିଁକି ଉତ୍ତୋଳିତ ସାମଗ୍ରୀକୁ ଉଠାଇବା ପାଇଁ ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି। ଜବାବରେ ରାଜ୍ୟ ସରକାରଙ୍କ ଓକିଲ କହିଥିଲେ, ଆବେଦନକାରୀ ‌ଷ୍ଟକ୍‌ର ବିସ୍ତୃତ ବିବରଣୀ ପ୍ରଦାନ କରିନାହାନ୍ତି। ଏଥି ସହିତ କ୍ଷତିପୂରଣ ବିଳମ୍ବରେ ପୈଠ କରିଥିବାରୁ ସୁଧ ଦେଇନାହାନ୍ତି। ‌ଯେଉଁଥି ପାଇଁ ତାଙ୍କୁ ଅନୁମତି ପ୍ରଦାନ କରାଯାଇନାହିଁ। ‘କମନ୍‌ କଜ୍‌’ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ସବୁ ପ୍ରକାର ମଂଜୁରୀ ହାସଲ କରିଥିବା, ସମସ୍ତ ବକେୟା ପୈଠ କରିଥିବା ଓ ବୈଧ ଲିଜ୍‌ ଥିବା କଂପାନିମାନଙ୍କୁ ‘ମାଇନିଂ ଅପରେସନ’ ପାଇଁ ଅନୁମତି ଦିଆଯାଉ। ଜବାବରେ ଖଣ୍ଡପୀଠ କହିଥିଲେ ଏହା କହିବା ରାଜ୍ୟ ସରକାରଙ୍କ ଦାୟିତ୍ବ। କିନ୍ତୁ ସେମାନେ କହୁନାହାନ୍ତି। ଯାହା କି ଦୁର୍ଭାଗ୍ୟଜନକ। ଶୁଣାଣି କାଳରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶ୍ରୀ ରମଣା କହିଲେ, ସେ ରାଜ୍ୟ ସରକାରଙ୍କ ବିରୋଧରେ ଅନାବଶ୍ୟକ ମନ୍ତବ୍ୟ ଦେବାକୁ ଚାହୁନାହାନ୍ତି। କିନ୍ତୁ ଆମେ ସବୁ ଦେଖୁଛୁ ବୋଲି ସେ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର