ଆମ ଦଖଲକୁ ଆସିବ ପିଓକେ : ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଭିନ୍ନ ଅଙ୍ଗ ଏବଂ ଏହା ଶୀଘ୍ର ଭାରତରେ ମିଶିବ। ଏହି ଅଂଚଳକୁ ଭାରତ ପୁଣି ନିଜ ଦଖଲକୁ ଆଣିବ। ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କ ଦାୟିତ୍ବ ଗ୍ରହଣର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଭାରତରେ ଲଗାତାର ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଉଛି। ଏହାକୁ ରୋକିବା ଏକ ଭିନ୍ନ ଧରଣର ଚ୍ୟାଲେଂଜ। ଧାରା ୩୭୦ ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେଣୁ ପାକିସ୍ତାନ ଏ ବାବଦରେ ଆଲୋଚନା ପାଇଁ ଦାବି କରିବା ସଂପୂର୍ଣ୍ଣ ଅପ୍ରାସଙ୍ଗିକ। ବିଶ୍ବ ସମୁଦାୟ ମଧ୍ୟ ଧାରା ୩୭୦ ସଂପର୍କରେ ଭାରତର ସ୍ଥିତି ସଂପର୍କରେ ଭଲଭାବେ ଅବଗତ ଅଛନ୍ତି ବୋଲି ସେ କହିଛନ୍ତି। ସରକାର ଦେଶର ସୁରକ୍ଷା ଏବଂ ବୈଦେଶିକ ନୀତିରେ ସଠିକ୍‌ ତାଳମେଳ ରଖି ଆଗକୁ ବଢ଼ୁଛନ୍ତି। ପାକିସ୍ତାନ ଏକ ସ୍ବାଭାବିକ ପଡ଼ୋଶୀ ହୋଇପାରି ନାହିଁ ଏବଂ ଆତଙ୍କବାଦ ବନ୍ଦ କଲେ ହିଁ ଏହା ସହିତ ସଂପର୍କରେ ସୁଧାର ହେବ ବୋଲି ସେ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଦଖଲରୁ କଶ୍ମୀରକୁ ମୁକ୍ତ କରିବା ନେଇ ଉପରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ ଓ ପିଏମଓରେ ମନ୍ତ୍ରୀଙ୍କ ବୟାନ ଏବଂ ଏଥିଲାଗି ଭାରତୀୟ ସେନା ପ୍ରସ୍ତୁତ ବୋଲି ସେନାଧ୍ୟକ୍ଷଙ୍କ ସୂଚନା ପରେ ବୈଦେଶିକ ମନ୍ତ୍ରୀଙ୍କ ଦୃଢ଼ୋକ୍ତି ବିଶେଷ ଗୁରୁତ୍ବ ବହନ କରୁଛି। ନିକଟରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଥିଲେ ଯେ ପାକ୍ ଅଧିକୃତ କଶ୍ମୀର ବା ପିଓକେ ହାସଲ କରିବା ମୋଦୀ ସରକାରଙ୍କ ପରବର୍ତ୍ତୀ ଏଜେଣ୍ଡା ଏବଂ ସରକାର ଏ ଦିଗରେ କାମ କରୁଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ପାକିସ୍ତାନରେ ବନ୍ଦୀ ଭାରତୀୟ ନାଗରିକ କୁଳଭୂଷଣ ଯାଦବ ପ୍ରସଙ୍ଗରେ କହିଥିଲେ ଯେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ଦୂତାବାସ ସହାୟତା ଯୋଗାଇ ଦେବାକୁ ପାକିସ୍ତାନ ବାଧ୍ୟ। ଜାକିର ନାୟକକୁ ପ୍ରତ୍ୟର୍ପଣ ମାମଲାରେ ଜୟଶଙ୍କର କହିଛନ୍ତି, ଏ ଦିଗରେ ସରକାର କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି ଏବଂ ଏହାର ସୁଫଳ ଖୁବ୍‌ଶୀଘ୍ର ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର