ରାଞ୍ଚି : ଗୋଟିଏ ପଟେ ହ୍ଵାଟ୍ସଆପ ଗୁଜବକୁ ନେଇ ଲୋକଙ୍କୁ ପିଟିପିଟି ହତ୍ୟା କରାଯାଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରୁଥିବା କଥା କହୁଛନ୍ତି। ହେଲେ ଝାଡ଼ଖଣ୍ଡର ରାମଗଡ଼ରେ ଗୋ-ହତ୍ୟା ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା କରିଥିବା ୮ ଜଣଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଭେଟିବା ସହ ସେମାନଙ୍କୁ ଫୁଲମାଳ ଦେଇ ପ୍ରଶଂସା ମଧ୍ୟ କରିଛନ୍ତି। କେବଳ ଏତିକି ନୁହେଁ, ବରଂ ଅଭିଯୁକ୍ତଙ୍କୁ ମିଠା ଖୁଆଇବା ସହ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଗତବର୍ଷ ଜୁନ ୨୯ରେ ଅଲିମୁଦ୍ଦିନ ଅନସାରୀ ନାମକ ଜଣେ ଯୁବକଙ୍କ ଗାଡ଼ିରେ ଗୋ-ମାଂସ ଥିବା ଅଭିଯୋଗରେ ରାମଗଡ଼ର ୧୨ ଜଣ ଯୁବକ ତାଙ୍କୁ ହତ୍ୟା କରିଥିଲେ। ପୁଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ନିମ୍ନ ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ ମଧ୍ୟ କରିଥିଲେ। ତେବେ ପରେ ସେମାନେ ହାଇକୋର୍ଟରୁ ଜାମିନ ପାଇଥିଲେ। ଆଜି ବିଜେପିର ଏକ ସଭାରେ ଏହି ଅଭିଯୁକ୍ତଙ୍କୁ ଜାମିନ ମିଳିବା ଘଟଣାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ସିହ୍ନା ସ୍ୱାଗତ କରିଥିଲେ। ଏହି ୮ ଜଣଙ୍କୁ ଜାମିନରେ ମୁକୁଳାଇଥିବା ଆଇନଜୀବୀ ବି ବି ତ୍ରିପାଠୀଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିିତ ବିଜେପି ବିଧାୟକ ଶଙ୍କର ଚୌଧୁରୀ ସମ୍ବର୍ଦ୍ଧିତ କରିଥିଲେ। ଆଗକୁ ଏହି ୮ ଜଣଙ୍କ ପାଇଁ ରାମଗଡ଼ରେ ମଧ୍ୟ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହେବ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/jayant-sinha.jpg)
