ମନ୍ତ୍ରୀ ପାର୍ଥଙ୍କୁ ଏୟାର ଆମ୍ବୁଲାନ୍ସରେ ଆଜି ଭୁବନେଶ୍ୱର ଏମ୍ସ ଅଣାଯିବ

କୋଲକାତା : ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଏମ୍ସକୁ ନିଆଯିବ। କଲିକତା ହାଇକୋର୍ଟ ରବିବାର ଦିନ ଏହି ନିର୍ଦ୍ଦେଶ ଦେବାପରେ ଇଡି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଇଡି ଦ୍ବାରା ଗିରଫ ହେବା ପରେ ଅସୁସ୍ଥ ଅନୁଭବ କରିବାରୁ ପାର୍ଥଙ୍କୁ ରାଜ୍ୟ ସରକାରଙ୍କ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ରାଜ୍ୟ ସରକାରଙ୍କ ହସ୍ପିଟାଲରେ ଭର୍ତ୍ତିକୁ ବିରୋଧ କରିଥିଲା ଇଡି। ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ ପରିବର୍ତ୍ତେ ତାଙ୍କୁ ସେନା ହସ୍ପିଟାଲକୁ
ସ୍ଥାନାନ୍ତର କରିବା ଲାଗି ଇଡି ହାଇକୋର୍ଟରେ ଆବେଦନ କରିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପାର୍ଥଙ୍କୁ ଭୁବନେଶ୍ବର ଏମ୍ସକୁ ସୋମବାର ସକାଳେ ସ୍ଥାନାନ୍ତର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରୁ ତାଙ୍କୁ ଏକ ଆମ୍ବୁଲାନ୍ସ ଜରିଆରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନିଆଯିବ। ସେଠାରୁ ସେ ଭୁବନେଶ୍ବର ଏମ୍ସକୁ ଆସିବେ। ତାଙ୍କ ସାଥିରେ ତାଙ୍କ ଆଇନଜୀବୀ ଏବଂ ଏସଏସକେଏମ୍‌ର ଡାକ୍ତର ରହିବେ। ହୃଦରୋଗ, ବୃକକ୍ ଜନିତ ରୋଗ, ଶ୍ବାସପ୍ରଶ୍ବାସ ଜନିତ ରୋଗ ଏବଂ ‌ଅନ୍ତଃସ୍ରାବିକା ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଡାକ୍ତରୀ ଟିମ୍‌ ଅଭିଯୁକ୍ତଙ୍କ ଡାକ୍ତରୀ ଯାଞ୍ଚ କରିବା ପାଇଁ ଏମ୍‌ସ ଭୁବନେଶ୍ବର କର୍ତ୍ତୃପକ୍ଷଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉକ୍ତ ମେଡିକାଲ ରିପୋର୍ଟ ମାମଲାର ତଦନ୍ତକାରୀ ଅଧିକାରୀ, ଏସ୍‌ଏସ୍‌କେଏମ୍‌ ମେଡିକାଲ ଅଫିସର, ଅଭିଯୁକ୍ତଙ୍କ ଆଇନଜୀବୀଙ୍କୁ ସୋମବାର ଅପରାହ୍‌ଣ ୩ଟା ସୁଦ୍ଧା ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପାର୍ଥଙ୍କୁ ଇଡି ୨୬ ଘଣ୍ଟା ପଚରାଉଚରା କରିବା ପରେ ଶନିବାର ସକାଳେ ଗିରଫ କରିଥିଲା। ଏହା ପରେ ତାଙ୍କୁ ଇଡି କାର୍ଯ୍ୟାଳୟ ସଲ୍ଟ ଲେକ୍‌ସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ନେଇଥିଲା। ଅଦାଲତରେ ହାଜର ବେଳ ତାଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନେବାଲାଗି ଇଡିକୁ ଅନୁମତି ମିଳିଥିଲା। ତେବେ ଅସୁସ୍ଥତା ଅନୁଭବ କରୁଥିବା ସଂପର୍କରେ ପାର୍ଥ ଅଭିଯୋଗ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଏସ୍‌ଏସ୍‌କେଏମ ହସ୍ପିଟାଲର ଆଇସିସିୟୁରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର