ପରିବା ବିକ୍ରି କରୁଥିବା ମହିଳାଙ୍କ ଗୋଡ଼ ଉପରେ ମୁଣ୍ଡ ରଖି ଚାପୁଡ଼ା ମାରିବାକୁ କହିଲେ ଶକ୍ତିମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠାରେ ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର ଜଣେ ପରିବାର ବିକ୍ରି କରୁଥିବା ମହିଳାଙ୍କ ପାଖକୁ ଯାଇ ତାଙ୍କୁ ଚାପୁଡ଼ା ମାରିବାକୁ କହୁଛନ୍ତି। ଚାପୁଡ଼ା ମାରିଲା ପରେ ହିଁ ମହିଳାଙ୍କ କଥା ସେ ଶୁଣିବେ ବୋଲି ବି କହିଛନ୍ତି। କେବଳ ଏତିକି ନୁହେଁ ମନ୍ତ୍ରୀଙ୍କ କଥା ଶୁଣି ପରିବାର ବିକାଳି ମହିଳା ଜଣକ ଚକିତ ହୋଇ ଚାହିଁ ରହିଥିବା ବେଳେ ପ୍ରଦ୍ୟୁମ୍ନ ସିଂହ ତୋମାର ଉକ୍ତ ମହିଳାଙ୍କ ଦୁଇ ହାତକୁ ଧରି ତାଙ୍କ ଗାଲରେ ଚାପୁଡ଼ା ମରାଉଛନ୍ତି।

ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ମନ୍ତ୍ରୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ସେ କିନ୍ତୁ କାହାରି କିଛି କଥା ଶୁଣି ନଥିଲେ। ତେବେ ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ଗ୍ବାଲିୟର ହଜିରା ପରିବା ମଣ୍ଡିର ସ୍ଥିତି ବୁଝିବା ପାଇଁ ଯାଇ ପହଞ୍ଚିଥିଲେ। କିନ୍ତୁ ସେଠାରେ ପରିବା ବିକ୍ରେତାମାନେ ବିରୋଧ କରି ତାଙ୍କୁ ଘେରି ଯାଇଥିଲେ। ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ। ଯେଉଁମାନଙ୍କ ଦୋକାନକୁ ପ୍ରଶାସନ ଉଠାଇ ଦେଇଥିଲା। ଏହି କାରଣରୁ ସମସ୍ତ ‌ବେପାରୀ ଅସନ୍ତୁଷ୍ଟ ରହିଥିଲେ।

ବୃଦ୍ଧ ମହିଳା ମନ୍ତ୍ରୀଙ୍କୁ କହିଥିଲେ, ସେ ଭଡ଼ା ଘରେ ବସବାସ କରନ୍ତି। ଏହି ପରିବା ମଣ୍ଡିରେ ବସି ସେ କିଛି ପରିବା ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ପ୍ରଶାସନ ଶହେରୁ ଅଧିକ ଗରିବ ଓ ପ୍ରତିଦିନ ଏଠାରେ ଦେକାନ ବସାଇ ଦୁଇପଇସା ରୋଜଗାର କରୁଥିବା ଲୋକଙ୍କୁ ଉଠାଇ ଦେଇ, ଇଣ୍ଟକ ମୈଦାନକୁ ସ୍ଥାନାନ୍ତର କରି ଦେଇଛି।

ଏହାପରେ ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ପରିବା ବିକ୍ରି କରୁଥିବା ଲୋକଙ୍କୁ ବୁଝାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ କହିଥିଲେ ଟାଫ୍ରିକ ବ୍ୟବସ୍ଥାର ସୁବନ୍ଦୋବସ୍ତ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। କୌଣସି ବି‌କ୍ରେତାଙ୍କୁ ହଇରାଣ କରିବା ଉଦ୍ଦ୍ୟେଶ ନାହିଁ। ତେଣୁ କାହାକୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ପଡେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି।

 

ସମ୍ବନ୍ଧିତ ଖବର