କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କର ବିଦେଶିନୀଙ୍କ ପାଇଁ ପରିଧାନ ମନ୍ତ୍ର: ସବୁ ସ୍ଥାନରେ ପିନ୍ଧିପାରିବେ ନାହିଁ ବିକିନି

ନୂଆଦିଲ୍ଲୀ: ଗତବର୍ଷ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେଜେ ଅଲ୍‌ଫୋନ୍‌ସ କହିଥିଲେ କି ‘ଯେଉଁ ବିଦେଶୀ ପର୍ଯ୍ୟଟକମାନେ ଭାରତ ଆସୁଛନ୍ତି ସେମାନେ ନିଜ ଦେଶରେ ଗୋମାଂସ ଖାଇକରି ଭାରତ ଆସନ୍ତୁ। ଆମ ଦେଶରେ ଗୋମାଂସ ଖାଇପାରିବେ ନାହିଁ।’ ଯାହାବି ହେଉ, ବିଦେଶୀ ପର୍ଯ୍ୟଟକମାନେ ଭାରତରେ କ’ଣ କରିପାରିବେ ଆଉ କ’ଣ କରିପାରିବେ ନାହିଁ ସେହି ତାଲିକାରେ ଆହୁରି ଏକ କଥା ଯୋଡ଼ିଛନ୍ତି ଅଲ୍‌ଫୋନ୍‌ସ।

ନିକଟରେ ଏକ ସାକ୍ଷାତ୍‌କାରରେ ଅଲ୍‌ଫୋନ୍‌ସ କହିଛନ୍ତି, ‘ପର୍ଯ୍ୟଟକମାାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ନୀତି ରହିବ। ବିଦେଶୀ ଓ ଘରୋଇ ପର୍ଯ୍ୟଟକ ପରିଦର୍ଶନ କରୁଥିବା ସ୍ଥାନର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ସେହି ନୀତି ମାନିବାକୁ ହେବ। ଅଧିକାଂଶ ବିଦେଶୀ ବିକିନି ପରିଧାନ କରି ରାସ୍ତାରେ ଚାଲୁଛନ୍ତି। ସେମାନେ ଯେତେବେଳେ ଭାରତ ଆସନ୍ତି ଆମେ ଚାହୁଁନା ଯେ ସେମାନେ ରାସ୍ତାରେ ବିକିନି ପିନ୍ଧି ଚାଲନ୍ତୁ। ସେମାନେ ଗୋଆ ବିଚ୍‌ ପରି ଅନ୍ୟାନ୍ୟ ସମୁଦ୍ର କୂଳରେ ବିକିନି ପିନ୍ଧି ପାରନ୍ତି। ମାତ୍ର ରାସ୍ତାକୁ ସେପରି ପୋଷାକରେ ଆସିପାରିବେ ନାହିଁ। ଯେଉଁ ସ୍ଥାନକୁ ଆମେ ଯାଆନ୍ତି ସେ ସ୍ଥାନର ସଂସ୍କୃତି ଏବଂ ଐତିହ୍ୟ ପ୍ରତି ମନରେ ସମ୍ମାନ ରହିବା ଉଚିତ।’

ସେ ଆହୁରି ବି କହିଛନ୍ତି କି, ‘ପର୍ଯ୍ୟଟକମାନେ ଯାହା ଗ୍ରହଣୀୟ ତାହା କରନ୍ତୁ। ଲାଟିନ୍‌ ଆମେରିକାରେ ଏମିତି ଅନେକ ସହର ଅଛି ଯେଉଁଠାରେ ଲୋକେ ବିକିନି ପିନ୍ଧି ବୁଲିଥାନ୍ତି। ସେଠାରେ ଏହା ଗ୍ରହଣୀୟ। ତାହାକୁ ନେଇ ମୋର କୌଣସି ଅସୁବିଧା ନାହିଁ। ମାତ୍ର ଯେତେବେଳେ ତୁମେ କୌଣସି ଦେଶକୁ ଯାଉଛ ତୁମ ମନରେ ସେ ଦେଶର ସଂସ୍କୃତି ଓ ପରମ୍ପରା ପ୍ରତି ସ୍ନେହ, ସମ୍ମାନ ରହିବା ଉଚିତ। ମୁଁ କହୁନାହିଁ ଯେ ଭାରତ ଆସିଲେ ଶାଢ଼ି ପିନ୍ଧ। ମାତ୍ର ସେପରି ପୋଷାକ ପିନ୍ଧ ଯାହା ଗ୍ରହଣୀୟ।’

ଅଲ୍‌ଫୋନ୍‌ସ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟମାୋନ ଯେବେ ବିଦେଶ ଯାଆନ୍ତି ସେମାନେ ବିଦେଶୀଙ୍କୁ ସୁହାଇଲା ପରି ଆଚରଣ ଦେଖାଇଥାନ୍ତି। ସବୁକିଛି ପରେ ଅଲ୍‌ଫୋନ୍‌ସ ନିଜକୁ ଜଣେ ଉଦାରବାଦୀ କହିବା ସହ ଅନ୍ୟ ଲୋକର ସ୍ୱାଧୀନତାକୁ ସେ ସମ୍ମାନ ଦିଅନ୍ତି ବୋଲି ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର