ବାଲେଶ୍ୱର ସାଂସଦ ତଥା ନୂଆକରି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରତାପ ଷଡଙ୍ଗୀଙ୍କ ପାଇଁ ତାଳି ମାଡରେ କମ୍ପି ଉଠିଲା ରାଇସିନା ହିଲ୍

ନୂଆଦିଲ୍ଲୀ : ନୀଳଗିରି ନନାଙ୍କ ପାଇଁ ତାଳି ମାଡରେ କମ୍ପି ଉଠିଲା ନୂଆଦିଲ୍ଲୀ । ମୋଦିଙ୍କ ଦ୍ୱିତୀୟ ପାଳିରେ ଦୁଇ ଓଡିଆ ପୁଅଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ବାଲେଶ୍ୱର ସାଂସଦ ତଥା ନୂଆକରି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରତାପ ଷଡଙ୍ଗୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଯେତେବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରତାପଙ୍କ ନାଁ ଡକାଯାଇଥିଲା ସେତେବେଳେ ଦଳୀୟ ସହଯୋଗୀ ଓ ଭିଭିଆଇପିଙ୍କ ତାଳିମାଡରେ କମ୍ପି ଉଠିଥିଲା ରାଇସିନା ହିଲ୍ । ନମୋଙ୍କ ପରେ ବୋଧହୁଏ ସବୁଠୁ ଅଧିକ ତାଳି ବାଜିଥିଲା ନନାଙ୍କ ପାଇଁ । ଆଉ ଏହି ତାଳି ବାଜିବା ପଛରେ ମଧ୍ୟରେ ଅନେକ କାରଣ ରହିଛି ।

ଚଳିତ ନିର୍ବାଚନରେ ପ୍ରତିପକ୍ଷ କୋଟିପତି ପ୍ରାର୍ଥୀଙ୍କୁ ହରାଇବା ପରେ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମରେ ଛାଇ ଯାଇଥିଲେ ଅତି ସରଳ ଜୀବନ ଯାପନ କରୁଥିବା ପ୍ରତାପ ଷଡଙ୍ଗୀ । ସ୍ନେହରେ ନନା ଭାବେ ଜଣାଶୁଣା ପ୍ରତାପ ନିର୍ବାଚନରେ ଜିତିବା ପରେ ସୋସିଆଲ ମିଡିଆର ସେନସେସନ ପାଲଟିଯାଇଥିଲେ । ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ଟିଭି ସ୍କ୍ରିନ ସବୁଠି ଦେଖିବାକୁ ମିଳିଥିଲା ନନାଙ୍କ କ୍ରେଜ । କାରଣ ପ୍ରତାପଙ୍କର ଜୀବନଶୈଳୀ ଏମିତି ଥିଲା ଯାହା ସାଧାରଣ ଲୋକଙ୍କୁ ବେଶ ପ୍ରଭାବିତ କରିଥିଲା । ନିର୍ବାଚନ ପୂର୍ବରୁ ନମୋଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା ନିର୍ବାଚନ ପରେ ନନାଙ୍କୁ ନେଇ ସେତିକି ଚର୍ଚ୍ଚା ବଢିଥିଲା ।

ଖାସକରି ନିର୍ବାଚନ ଜିତିବା ପରେ ପ୍ରତାପଙ୍କର ଏମିତି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯାହା ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା । ତାଙ୍କର ସରଳ ଜୀବନଶୈଳୀକୁ ଦେଖି ଲୋକେ ତାଙ୍କୁ ‘ଓଡିଶାର ମୋଦି’ ବୋଲି କହିବା ଆରମ୍ଭ କରିଥିଲେ ।

ଦୁଇଥର ବିଧାୟକ ରହିଥିବା ପ୍ରତାପଙ୍କର ସାଧାରଣ ଜୀବନ ଯାପନ ହିଁ ତାଙ୍କୁ ଆଜି ଚର୍ଚ୍ଚାରେ ରଖିଛି । କେତେବେଳେ ନିଜର ଚାଳଘରକୁ ନେଇ ତ ପୁଣି କେତେବେଳେ ସାଇକେଲ ଚଳାଇ ଗାଁ ଗାଁରେ ବୁଲିବାକୁ ନେଇ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପ୍ରତାପ । ନେତାଙ୍କ ଭଳି ନୁହେଁ ବରଂ ଜଣେ ସାଧାରଣ ମଣିଷ ଭଳି ଲୋକଙ୍କ ସହ ମିଶିବା ଠାରୁ ଆରମ୍ଭ କରି ପିଲାଙ୍କ ସାଙ୍ଗରେ କ୍ରିକେଟ ଖେଳି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ପ୍ରତାପ । ଅବିବାହିତ ରହିଥିବା ପ୍ରତାପ ନିଜର ବାଲ୍ୟବସ୍ଥାରେ ଆରଏସଏସ ସହ ଯୋଡି ହୋଇଥିଲେ । ଏପରିକି ପରବର୍ତ୍ତୀ ସମୟରେ ସନ୍ନ୍ୟାସୀ ହେବାକୁ ମନ ବଳାଇଥିଲେ । କିନ୍ତୁ ସନ୍ନ୍ୟାସୀ ହେବା ପରିବର୍ତ୍ତେ ତାଙ୍କ ମା’ଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ କିଛି ଗୁରୁଜନ ଓ ସାଧୁ । ଆଉ ଏହାପରେ ପୁଣିଥରେ ନିଜ ଗାଁକୁ ଫେରିଆସି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ।

ନୀଳଗିରିରୁ ଦୁଇ ଥର ବିଧାୟକ ରହିବା ପରେ ଗତ ୨୦୧୪ରେ ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ ପ୍ରତାପ । ତେବେ ୨୦୧୪ରେ ପରାସ୍ତ ହେବା ପରେ ୨୦୧୯ରେ ପୁଣିଥରେ ବାଲେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ପ୍ରତାପ । କିନ୍ତୁ ଏଥର ତାଙ୍କୁ ଭୋଟର ନିରାଶ କରିନଥିଲେ । ପ୍ରତିପକ୍ଷ କୋଟିପତି ହୋଇଥିଲେ ମଧ୍ୟ ଅଳ୍ପ ପୁଞ୍ଜିକୁ ସାଥୀ କରି ନିର୍ବାଚନ ବୈତରଣୀ ପାର କରିଥିଲେ ପ୍ରତାପ । ଆଉ ଯେତେବେଳେ ବାଲେଶ୍ୱର ବାଦଶାହା ପ୍ରତାପଙ୍କ ନାଁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ତାଲିକାରେ ଥିବା ଜଣାପଡିଥିଲା ସେତେବେଳେ ପୂରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ସନ୍ଧ୍ୟାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ ପ୍ରତାପ । ପ୍ରଥମେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ କ୍ୟାବିନେଟ ମନ୍ତ୍ରୀ ନେଇଥିଲେ ପଦ ଓ ଗୋପନୀୟତାର ଶପଥ । ଆଉ ଶେଷରେ ରାଷ୍ଟ୍ରମନ୍ତ୍ରୀ ମାନେ ନେଇଥିଲେ ଶପଥ । ତେବେ ଶପଥ ଗ୍ରହଣ ଉତ୍ସବ ସରି ଆସୁଥିବା ବେଳେ ରଙ୍ଗୀନ ଆଲୁଅରେ ଝଲସି ଉଠୁଥିବା ରାଇସିନା ହିଲ୍ ତାଳିମାଡରେ କମ୍ପି ଉଠିଥିଲା । ନେତାଙ୍କ ଠାରୁ ଆରମ୍ଭ କରି ଭିଭିଆଇପି ଏପରିକି ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ତାଳି ମାରି ଚାଲିଥିଲେ । କିନ୍ତୁ ଏହି ତାଳି ନମୋଙ୍କ ପାଇଁ ନୁହେଁ ବରଂ ନନାଙ୍କ ପାଇଁ ଥିଲା । କାରଣ ପ୍ରଥମ ଥର ପାଇଁ ଶପଥ ନେଉଥିଲେ ଓଡିଶାର ମୋଦି ଭାବେ ଜଣାଶୁଣା ପ୍ରତାପ ଷଡଙ୍ଗୀ ।

ସମ୍ବନ୍ଧିତ ଖବର