କୋଭିଡ-୧୯ ମୁକାବିଲା ସମ୍ପର୍କିତ ମନ୍ତ୍ରୀଗୋଷ୍ଠୀ ସ୍ତରୀୟ ସମୀକ୍ଷା ବୈଠକ : ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ୧୬ତମ ମନ୍ତ୍ରୀଗୋଷ୍ଠୀସ୍ତରୀୟ ବୈଠକ ଭିଡିଓ କନଫରେନ୍ସ ଜରିଆରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେଙ୍କ ସମେତ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମାଜିକ ଦୂରତ୍ଵ ରକ୍ଷା କରି ବୈଠକରେ ଯୋଗଦେଇଥିଲେ।

ଦେଶରେ କୋଭିଡ-୧୯ର ସବିଶେଷ ସ୍ଥିତି ନେଇ ମନ୍ତ୍ରିମଣ୍ଡଳୀୟ ଦଳ (ଜିଓଏମ)ଙ୍କୁ ବୈଠକରେ ଅବଗତ କରାଯାଇଥିଲା। ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଏବଂ ଲକଡାଉନ ଯୋଗୁଁ ରୋଗ ପରିଚାଳନାରେ ମିଳିଥିବା ସଫଳତା ସମ୍ପର୍କରେ ଏଥିରେ ଦର୍ଶାଯାଇଥିଲା। ଦେଶରେ ଆର୍ଥିକ କାର୍ଯ୍ୟକଳାପ ଚାଲୁ କରାଯାଇଥିବା ସତ୍ଵେ କୋଭିଡ-୧୯ ପାଇଁ ଥିବା ପ୍ରତିଷେଧକ ବ୍ୟବସ୍ଥାରେ ଯେପରି ସାଲିସ ନକରାଯାଏ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଜିଓଏମ ଅଧ୍ୟକ୍ଷ ଡଃ ହର୍ଷ ବର୍ଦ୍ଧନ କହିଥିଲେ ଯେ, ଦେଶ ବର୍ତ୍ତମାନ ଅନଲକ -1 ପର୍ଯ୍ୟାୟରେ ପହଞ୍ଚିଛି। ସେଦୃଷ୍ଟିରୁ ଅନେକ କଟକଣା ମଧ୍ୟ ହଟାଯାଇଛି, ତେବେ ଆମକୁ ଅଧିକ ଶୃଙ୍ଖଳିତ ରହି ସାମାଜିକ ଦୁରତ୍ଵ, ସର୍ବସାଧାରଣ ସ୍ଥାନରେ ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଭଳି ପ୍ରତିଷେଧକ ନିୟମ ମାନିବାକୁ ହେବ। ଏଥିରେ କୌଣସି କୋହଳତା ଅବଲମ୍ବନ କରିବା ଅନୁଚିତ ବୋଲି ସେ ଦୃଢ ଭାବେ କହିଛନ୍ତି।

ସମ୍ବନ୍ଧିତ ଖବର