‘ଆରୋଗ୍ୟ ସେତୁ’ର ନିର୍ମାତାଙ୍କ ବିଷୟରେ ମନ୍ତ୍ରାଳୟ ପାଖରେ ସୂଚନା ନାହିଁ: ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ସୂଚନା କମିସନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ବିପକ୍ଷରେ ଲଢ଼େଇ ଲାଗି ସରକାର ପ୍ରସାରିତ କରିଥିବା କଣ୍ଟାକ୍ଟ୍‌‌ ଟ୍ରେସିଙ୍ଗ୍‌ ଆପ୍‌ ‘ଆରୋଗ୍ୟ ସେତୁ’ର ନିର୍ମାତାଙ୍କ ବିଷୟରେ ସମ୍ପୃକ୍ତ ମନ୍ତ୍ରାଳୟ ପାଖରେ ସୂଚନା ନ ଥିବାରୁ ‘କେନ୍ଦ୍ର ସୂଚନା କମିସନ୍’ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

‘ନ୍ୟାସ୍‌ନାଲ୍‌ ଇନ୍‌ଫମେଟିକ୍ସ୍‌ ସେଣ୍ଟର୍‌’ ଏବଂ ‘ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ମିନିଷ୍ଟ୍ରି’ ଏହାକୁ ବିକଶିତ କରିଛନ୍ତି ବୋଲି ‘ଆରୋଗ୍ୟ ସେତୁ ୱେବ୍‌ସାଇଟ୍‌’ରେ ଉଲ୍ଲେଖ ଅଛି। କିନ୍ତୁ, ସୂଚନା ଅଧିକାରରେ ଆସିଥିବା ଏକ ଅନୁସନ୍ଧାନର ଉତ୍ତରରେ ଏ କଥାକୁ ‘ନ୍ୟାସ୍‌ନାଲ୍‌ ଇନ୍‌ଫମେଟିକ୍ସ୍‌ ସେଣ୍ଟର୍‌’ ଏବଂ ‘ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ମିନିଷ୍ଟ୍ରି’ ଅସ୍ବୀକାର କରିଛନ୍ତି।

‘ଆରୋଗ୍ୟ ସେତୁ ଆପ୍‌’ର ନିର୍ମାତା କିଏ? ଏହି ପ୍ରଶ୍ନର ଉତ୍ତରକୁ ସରକାର ଏଡ଼ାଇ ଦେଇଥିବାରୁ ‘କେନ୍ଦ୍ର ସୂଚନା କମିସନ୍’ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ନୋଟିସ୍‌ରେ ଉଲ୍ଲେଖ ଅଛି ଯେ, କର୍ତ୍ତୃପକ୍ଷମାନେ ଯେଭଳି ଅସ୍ବୀକାର କରୁଛନ୍ତି, ତାହାକୁ ଗ୍ରହଣ କରାଯାଇ ପାରିବ ନାହିଁ। ଏହି ଆପ୍‌ କିଏ ତିଆରି କରିଛନ୍ତି? ସେ ସଂକ୍ରାନ୍ତ ଫାଇଲ୍‌ ସବୁ କାହିଁ? ଏ ସଂକ୍ରାନ୍ତରେ ମୁଖ୍ୟ ଲୋକ ସୂଚନା ଅଧିକାରୀମାନଙ୍କ ମଧ୍ୟରୁ କେହି ହେଲେ ବୁଝାଇବାକୁ ସମର୍ଥ ହେଲେନାହିଁ। ଏହା ଅତ୍ୟନ୍ତ ହାସ୍ୟସ୍ପଦ କଥା।

ନଭେମ୍ବର ୨୪ରେ କମିସନ୍‌ଙ୍କ ଆଗରେ ହାଜର ହେବାକୁ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦେଶ ଦିଆଯାଇଛି।

Image Courtesy of Hindustan Times

ଏହି ଆପ୍ର ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ଦେବାକୁ କେତେକ ମନ୍ତ୍ରାଳୟ ବିଫଳ ହୋଇଥିବା କଥା ସାମାଜିକ କର୍ମୀ ସୌରଭ ଦାସ ଅଭିଯୋଗ କରିଥିଲେ। ଏହି ଆପ୍‌ ନିମନ୍ତେ କିଭଳି ପ୍ରସ୍ତାବ ଆସିଲା, ସେ ପ୍ରସ୍ତାବ ଅନୁମୋଦ ସମ୍ବନ୍ଧୀୟ ବିବରଣୀ, ଏଥିରେ ସମ୍ପୃକ୍ତ କମ୍ପାନି, ବ୍ୟକ୍ତିବିଶେଷ ଏବଂ ସରକାରୀ ବିଭାଗ ପ୍ରଭୃତିଙ୍କ ବିଷୟରେ ଶ୍ରୀ ଦାସ ସବିଶେଷ ବିବରଣୀ ମାଗିଥିଲେ। ଏହା ବ୍ୟତିରେକେ, ଏହି ଆପ୍‌ ବିକାଶରେ ସମ୍ପୃକ୍ତ ବେସରକାରୀ ଲୋକମାନଙ୍କ ସହ ହୋଇଥିବା ପତ୍ରାଳାପର ନକଲ ମଧ୍ୟ ସେ ଚାହିଁଥିଲେ।

ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେବ ଏହି ଅନୁସନ୍ଧାନ ବିଭିନ୍ନ ବିଭାଗକୁ ଯାଇ ସେଠାରୁ ଫେରି ଆସୁଛି। ଏହି ଆପ୍ ତିଆରି ସମ୍ବନ୍ଧୀୟ ସମୁଦାୟ ଫାଇଲ୍‌ ତାଙ୍କ ପାଖରେ ନାହିଁ ବୋଲି କୁଆଡ଼େ ‘ନ୍ୟାସ୍‌ନାଲ୍‌ ଇନ୍‌ଫର୍ମେଟିକ୍ସ୍‌ ସେଣ୍ଟର୍‌’ କହିଛି। ‘ଆଇଟି ମନ୍ତ୍ରାଳୟ’ ଏହି ଅନୁସନ୍ଧାନକୁ ‘ନ୍ୟାସ୍‌ନାଲ୍‌ ଇ-ଗଭର୍ଣ୍ଣାନ୍ସ ଡିଭିଜନ୍‌’କୁ ପଠାଇଥିଲେ। ସେମାନେ କହିଲେ, ମଗା ଯାଇଥିବା ସୂଚନା ଆମ ଡିଭିଜନ୍‌ ଅନ୍ତର୍ଭୁକ୍ତ ନୁହେଁ।

‘ଚିଫ୍‌ ପବ୍ଲିକ୍‌ ଇନ୍‌ଫର୍ମେସନ୍ ଅଫିସର୍ସ’ ଏବଂ ‘ନ୍ୟାସ୍‌ନାଲ୍‌ ଇ-ଗଭର୍ଣ୍ଣାନ୍ସ ଡିଭିଜନ୍‌’ଙ୍କୁ ମଧ୍ୟ ସୂଚନ‌ା କମିସନ୍ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି।

ସମ୍ବନ୍ଧିତ ଖବର