ମେ ୪ ପରେ ଉଡ଼ାଣ ପାଇଁ ବୁକିଂ ବନ୍ଦ କରିବାକୁ ସମସ୍ତ ବିମାନ କମ୍ପାନିକୁ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ରବିବାର ଦିନ ସମସ୍ତ ବିମାନ କମ୍ପାନିକୁ ବିମାନ ଉଡ଼ାଣ ପାଇଁ ବୁକିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ବିମାନ କମ୍ପାନିକୁ ଟିକେଟ ବୁକିଂରୁ ନିବୃତ୍ତ ରହିବାକୁ ସର୍କୁଲାର ଜାରି କରି ଏଭଳି ନିର୍ଦେଶ ଦେଇଛି ଡିଜିସିଏ। ଏଥିରେ କୁହାଯାଇଛି ଯେ, କିଛି ଘରୋଇ / ଆନ୍ତର୍ଜାତୀୟ ବିମାନ କମ୍ପାନି ମେ ୪ ପରେ ବିମାନ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ତେବେ ଏ ପର୍ଯ୍ୟନ୍ତ ମେ ୪ ପରେ ଘରୋଇ / ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ | ଏହାକୁ ଦୃଷ୍ଟିରେ ରଖି ସମସ୍ତ ବିମାନ କମ୍ପାନିକୁ ବୁକିଂ ଆରମ୍ଭ ନ କରିବାକୁ ନିର୍ଦେଶ ଦିଆଯାଉଛି | ଉଡ଼ାଣ କାର୍ଯ୍ୟ ପୁନଃ ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ବିଜ୍ଞପ୍ତି ଏବଂ ସଠିକ ସମୟ ବିମାନ କମ୍ପାନିକୁ ଦିଆଯିବ | ଯାହା ପରେ ସେମାନେ ବିମାନ ସେବା ପାଇଁ ବୁକିଂ ଆରମ୍ଭ କରିପାରିବେ | ସରକାରଙ୍କ ନିଷ୍ପତ୍ତି ପରେ ହିଁ ବିମାନ ସେବା ଟିକେଟ୍ ବୁକିଂ ଖୋଲିବାକୁ ସମସ୍ତ ଏୟାରଲାଇନ୍ସକୁ ପରାମର୍ଶ ଦିଆଯିବ |

ସୂଚନା ମୁତାବକ, ଗତକାଲି ସରାକାରୀ ବିମାନ ପରିବହନକାରୀ କମ୍ପାନି ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ଆରମ୍ଭକୁ ନେଇ ସୂଚନା ଦିଆଯାଇଥିଲା | ଜୁନ୍ ୧, ୨୦୨୦ଠାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିବା ସହ ମେ ୪, ୨୦୨୦ଠାରୁ ମନୋନୀତ ଘରୋଇ ରୁଟ୍ ପାଇଁ ବୁକିଂ ଆରମ୍ଭ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଥିଲା। ଏୟାର ଇଣ୍ଡିଆ ପୂର୍ବରୁ ଇଣ୍ଡିଗୋ ମଧ୍ୟ ମେ ୪ରୁ ପର୍ଯ୍ୟାୟକ୍ରମେ ଉଡ଼ାଣ ଆରମ୍ଭ କରିବ ବୋଲି ଘୋଷଣା କରିଥିଲା | ତେବେ ଦେଶର ପରିସ୍ଥିତିକୁ ଦେଖି ଏବେ କିଛି କହିବା ସମ୍ଭବ ନ ଥିବାରୁ ସମସ୍ତ ବିମାନ କମ୍ପାନିକୁ ବୁକିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ |

ସମ୍ବନ୍ଧିତ ଖବର