ପ୍ରତିରକ୍ଷା ମନ୍ତ୍ରାଳୟର ସ୍ପଷ୍ଟୀକରଣ : ଇଞ୍ଚେ ବି ଜମି ଚୀନ୍‌ ନେଇପାରିନି

ଏଲ୍‌ଏସି ଫିଙ୍ଗର୍‌ ୮ରେ ରହିଛି, ଚୀନ୍‌ ସେନା ଫିଙ୍ଗର୍‌ ୩ରେ ରହିବ

ନୂଆଦିଲ୍ଲୀ : ଚୀନ୍‌ର ଚାପରେ ଭାରତ ସରକାର ନିଜ ଅଂଚଳ ଚୀନ୍‌ ହାତରେ ଛାଡ଼ି ଦେଇଛନ୍ତି ବୋଲି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିବା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଛି। କଂଗ୍ରେସ ନେତାଙ୍କ ଏଭଳି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ଦର୍ଶାଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ଥିତି ସ୍ପଷ୍ଟ କରାଯାଇଛି। ଭାରତର ମାନଚିତ୍ରରେ ଯେଉଁ ଭାରତୀୟ ଅଂଚଳ ପ୍ରଦର୍ଶିତ ହେଉଛି ସେଥିରେ ଚୀନ୍‌ ଦଖଲରେ ଥିବା ଅଂଚଳ ମଧ୍ୟ ସାମିଲ ରହିଛି। ଏହାର ପରିସୀମା ପ୍ରାୟ ୪୩ ହଜାର ବର୍ଗ କିଲୋମିଟର। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଭାରତର ନୀତି ମୁତାବକ ଫିଙ୍ଗର ୮ ପର୍ଯ୍ୟନ୍ତ ରହିଛି। ଏଥିପାଇଁ ଭାରତ ସର୍ବଦା ଫିଙ୍ଗର ୮ ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଛି ଏବଂ ନିଜ ଦାବି ଦୋହରାଇ ଆସିଛି। ଦୀର୍ଘ ଦଶନ୍ଧି ଧରି ଏହି ପ୍ରକ୍ରିୟା ଜାରି ରହିଥିବା କାହାକୁ ଅଛପା ନାହିଁ। ଏବେ ବିବାଦୀୟ ଅଂଚଳରୁ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି । ଏପ୍ରିଲ ୨୦୨୦ ପୂର୍ବରୁ ଯେଉଁ ସ୍ଥିତି ରହିଥିଲା ସେହି ସ୍ଥିତି ଏବେ ପୁଣି ଫେରିବାକୁ ଯାଉଛି ଏବଂ ଇଂଚେ ବି ଭାରତୀୟ ଜମି ଚୀନ୍‌କୁ ଛଡ଼ାଯାଇ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଚୀନ୍‌ ଫିଙ୍ଗର ୩ ଅଂଚଳରେ ନିଜ ସେନାକୁ ରଖିବ ଏବଂ ଭାରତୀୟ ସେନା ଧାନ୍‌ ସିଂହ ଥାପା ପୋଷ୍ଟରେ ରହିବେ। ଏଲ୍‌ଏସିରେ ପୁରୁଣା ସ୍ଥିତି ଖୁବ୍‌ଶୀଘ୍ର ଫେରିବା ସହ ଦକ୍ଷିଣ ସୀମାରେ ମଧ୍ୟ ଶାନ୍ତି ବଜାୟ ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏଲ୍‌ଏସି ବିବାଦର ସମାଧାନ ପାଇଁ ଏହା ଏପ୍ରିଲ ୨୦୨୦ ସ୍ଥିତିକୁ ଫେରିବା ଆବଶ୍ୟକ ଥିଲା ଏବଂ ସେହି ଆଧାରରେ ବୁଝାମଣା ସଂପୂର୍ଣ୍ଣ ହୋଇଛି ବୋଲି ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ କହିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ସେପ୍‌ଟେମ୍ବର ମାସରୁ ଭାରତ ଏବଂ ଚୀନ୍‌ ମଧ୍ୟରେ ସାମରିକ କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଥିଲା ଏବଂ ଗତମାସରେ ହୋଇଥିବା ଆଲୋଚନାରେ ‌ସେନା ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ ପାଇଥିଲା ଏଲ୍‌ଏସିରେ ଶାନ୍ତି ଫେରାଇ ଆଣିବା ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେନା ପ୍ରତ୍ୟାହାର କରିବାକୁ ଉଭୟ ପକ୍ଷ ରାଜି ହୋଇଥିବା ବେଳେ ୨ ଦିନ ହେଲା ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି।

ସମ୍ବନ୍ଧିତ ଖବର