ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ଆସନ୍ତା ଡିସେମ୍ବର ମାସ ପାଇଁ ନୂତନ ନିର୍ଦ୍ଦେଶାବଳୀ ସହିତ ସମ୍ବଳିତ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ବା ମାର୍ଗଦର୍ଶିକା ଜାରି କରିଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ନିର୍ଦ୍ଦେଶବଳୀ ଆସନ୍ତା ଡିସେମ୍ବର ୧, ୨୦୨୦ ଠାରୁ କାର୍ଯ୍ୟକାରୀ ହେବ ଏବଂ ଡିସେମ୍ବର ୨୧, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ।

Advertisment

ଏହି ନୂତନ ନିର୍ଦ୍ଦେଶାବଳୀରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ କୋଭିଡ୍‌-୧୯ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ କେତେକ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି। ଏହି କ୍ଷମତା ବଳରେ ପରିସ୍ଥିତିକୁ ଆକଳନ କରି ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରମାନେ ଆବଶ୍ୟକୀୟ ସ୍ଥାନୀୟ ପ୍ରତିବନ୍ଧକ ଲଗାଇପାରିବେ। ସଂକ୍ରମଣକୁ ରୋକିବା ପାଇଁ ଯଦି ରାତି କର୍ଫ୍ୟୁର ଆବଶ୍ୟକତା ପଡ଼େ ତେବେ ସେ କ୍ଷେତ୍ରରେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ରାତି କର୍ଫ୍ୟୁ ଲଗାଇପାରିବେ। କିନ୍ତୁ, କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ ନକରି କଣ୍ଟେଣ୍ଟମେଣ୍ଟ ଜୋନ୍‌ ବାହାରେ କୌଣସି ପ୍ରକାରର ସ୍ଥାନୀୟ ଲକଡାଉନ୍‌ (ରାଜ୍ୟ/ ଜିଲ୍ଲା/ ଉପ-ଖଣ୍ଡ/ ସହର ସ୍ତର)ରେ ଲଗାଇପାରିବେ ନାହିଁ। ଉଳ୍ଲେଖଯୋଗ୍ୟ, ବର୍ତ୍ତମାନ ଦେଶର ଛଅଟି ଭିନ୍ନ ଭିନ୍ନ ରାଜ୍ୟର ରାଜ୍ୟ ସରକାରମାନେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ନିଜ ନିଜ ରାଜ୍ୟରେ ରାତି କର୍ଫ୍ୟୁ ଲଗାଇ ସାରିଛନ୍ତି।

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟ ଅଫିସରେ ସାମାଜିକ ଦୂରତା ନିୟମକୁ ବାଧ୍ୟତାମୂଳକ ଓ କଡ଼ାକଡ଼ି କରବେ। ଯେଉଁ ସହରଗୁଡିକରେ, ସାପ୍ତାହିକ କେସ୍‌ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ, ସେ କ୍ଷେତ୍ରରେ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ସରକାରମାନେ ଏକ ସମୟରେ ଅଫିସରେ ଯୋଗ ଦେଉଥିବା କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟରେ ଅଫିସ୍‌ ସମୟରେ ଅଦଳ ବଦଳ ଏବଂ ଅନ୍ୟାନ୍ୟ ଉପଯୁକ୍ତ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ବିଚାର କରପାରିବେ। ଆନ୍ତଃରାଜ୍ୟ ବା ରାଜ୍ୟ ରାଜ୍ୟ ମଧ୍ୟକୁ ଯାତାୟାତ କିମ୍ବା ମାଲ ପରିବହନ କ୍ଷେତ୍ରରେ କୌଣସି ପ୍ରକାରର ପ୍ରତିବନ୍ଧକ ରହିବ ନାହିଁ।

ଅସୁରକ୍ଷିତ ଥିବା ବ୍ୟକ୍ତି ବିଶେଷଙ୍କ ସୁରାକ୍ଷା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ନେବେ। ଏଥିସହ ଦୁର୍ବଳ ବ୍ୟକ୍ତି, ଯଥା, ୬୫ ବର୍ଷରୁ ଅଧିକ ବ୍ୟକ୍ତି, ରୋଗଗ୍ରସ୍ତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ପିଲାମାନେ, ଆବଶ୍ୟକୀୟ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ପରିସ୍ଥିତିର ଆବଶ୍ୟକତା ଦୃଷ୍ଟିରୁ ପ୍ରତ୍ୟେକଙ୍କୁ ନିଜ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ୍‌ର ବ୍ୟବହାର ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଉତ୍ସାହିତ କରିବେ।