ନୂଆଦିଲ୍ଲୀ: ଓଡ଼ିଶାର ଉପକୂଳ ସୀମା ୨୦.୬୩ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୨୩-୨୪ରେ ଏହି ତଥ୍ୟ ଉଲ୍ଲେଖ ରହିଛି। ମନ୍ତ୍ରଣାଳୟ ଦ୍ବାରା ଗତକାଲି ରିପୋର୍ଟକୁ ସାର୍ବଜନୀନ କରାଯାଇଛି। ରିପୋର୍ଟରେ ପ୍ରଦତ୍ତ ତଥ୍ୟରେ ନ୍ୟାସନାଲ୍ ହାଇଡ୍ରୋଗ୍ରାଫିକ୍ ଅଫିସ (ଏନ୍ଏଚ୍ଓ) ଓ ସର୍ଭେ ଅଫ୍ ଇଣ୍ଡିଆ (ଏସ୍ଓଆଇ୧୯୭୧) ଆକଳନ ଅନୁସାରେ ଦେଶର ୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଂଚଳର ମୋଟ ଉପକୂଳ ସୀମା ୭୫୧୬.୬ କିମି ଥିଲା। ହେଲେ ନ୍ୟାସନାଲ ମାରିଟାଇମ୍ ସିକ୍ୟୁରିଟି କୋଅର୍ଡିନେଟର୍ (ଏନ୍ଏମ୍ଏସ୍ସି)ର ଧାର୍ଯ୍ୟ ମାନକ ତଥା ଟର୍ମ ଅଫ୍ ରେଫରେନ୍ସ ଅନ୍ତର୍ଗତ ମପାଯାଇଥିବା କୋଷ୍ଟ୍ ଲାଇନ୍ ୧୧୦୯୮.୮୧ କିମିକୁ ବୃଦ୍ଧି ପାଇଛି। ଏହି କ୍ରମରେ ଓଡ଼ିଶାର ଉପକୂଳ ସୀମା ୪୭୬.୪ କିମିରୁ ୫୭୪.୭୧ କିମିକୁ ବୃଦ୍ଧି ପାଇଛି। ଅର୍ଥାତ୍ ୯୮.୩୧ କିମି ବୃଦ୍ଧି ହୋଇଛି। ରିପୋର୍ଟରେ ଓଡ଼ିଶାର ଉପକୂଳ ମ୍ୟାପିଂ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରାଯାଇଥିବା ଦର୍ଶାଯାଇଛି। ଏଥି ସହିତ ଉପକୂଳ ସୁରକ୍ଷା ଯୋଜନା-୨ ଅନ୍ତର୍ଗତ ରାଜ୍ୟରେ ୧୨ଟି ଉପକୂଳ ପୁଲିସ ଥାନା ନିର୍ମାଣ କରାଯାଇଥିବା ଉଲ୍ଲେଖ ରହିଛି।
ରିପୋର୍ଟର ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନ୍ତର୍ଗତ ତାମିଲନାଡ଼ୁ ଏବଂ ଓଡ଼ିଶାରେ ଶ୍ରୀଲଙ୍କା ଶରଣାର୍ଥୀ ରହିଥିବା ଉଲ୍ଲେଖ ରହିଛି। ରିପୋର୍ଟ ଅନୁସାରେ ୧ ଜୁନ୍ ୨୦୨୪ ସୁଦ୍ଧା ତାମିଲନାଡ଼ୁର ୧୦୫ ଶରଣାର୍ଥୀ ଶିବିରରେ ୫୭,୬୬୫ ଶ୍ରୀଲଙ୍କା ଶରଣାର୍ଥୀ ରହିଥିବାବେଳେ ଓଡ଼ିଶାରେ ୧୯ ଜଣ ଶ୍ରୀଲଙ୍କା ଶରଣାର୍ଥୀ ରହିଛନ୍ତି। ଶ୍ରୀଲଙ୍କା ଶରଣାର୍ଥୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରିଲିଫ୍ ସହାୟତା ପ୍ରଦାନ କରାଯାଉଥିବା ରିପୋର୍ଟରେ କୁହାଯାଇଛି। ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମୋଟ ୧,୭୧,୬୫୭ ସ୍ବାଧୀନତା ସଂଗ୍ରାମୀ ତଥା ସେମାନଙ୍କର ଯୋଗ୍ୟ ନିର୍ଭରଶୀଳଙ୍କ ପାଇଁ ସମ୍ମାନସୂଚକ ପେନ୍ସନ୍ ମଞ୍ଜୁରି ପ୍ରଦାନ କରାଯାଇଛି। ଓଡ଼ିଶାରେ ଏହି ସଂଖ୍ୟା ୪୧୯୬ ରହିଛି। ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ ଓ ଗୋଆରେ ଅର୍ଲି ୱାଣିଂ ଡିସିମିନେସନ୍ ସିଷ୍ଟମ୍ ସ୍ଥାପନ କରାଯାଇଛି।