ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକିୟାରାରେ ନିର୍ମାଣାଧୀନ ଟନେଲ ଭୁଶୁଡି ପଡିବା ଫଳରେ ତା’ ଭିତରେ ଅଟକି ରହିଥିବା ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଚାଲିଛି। ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଦେଶର ଟିଭି ଚ୍ୟାନେଲଗୁଡିକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ମର୍ମରେ ଏକ ଉପଦେଶାବଳି ଜାରି କରାଯାଇଛି। ଏହା ମୁଖ୍ୟତଃ ଟିଭି ଚ୍ୟାନେଲଗୁଡିକ ପାଇଁ ଉଦ୍ଦିଷ୍ଟ। ଏଥିରେ କୁହାଯାଇଛି ଯେ, ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବର ଓ ଚିତ୍ର ପ୍ରସାରଣ ବେଳେ ଟିଭି ଚ୍ୟାନେଲଗୁଡିକ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଏହା ଚାଞ୍ଚଲ୍ୟକର ଯେପରି ନ ହୁଏ ସେଥିପ୍ରତି ସାବଧାନ ରହିବା ଆବଶ୍ୟକ। ଟନେଲର ଅତି ଆଖପାଖରୁ କୌଣସି ଲାଇଭ ପୋଷ୍ଟ/ଭିଡିଓ ପ୍ରସାର ନ କରିବାକୁ ମନ୍ତ୍ରଣାଳୟ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ ଦେଇଛି। ଆହୁରି ମଧ୍ୟ ଟନେଲ ପାଖରେ କ୍ୟାମେରାମ୍ୟାନ, ରିପୋର୍ଟରଙ୍କ ଉପସ୍ଥିତି ଓ ବିଭିନ୍ନ ଉପକରଣ ରଖିବାକୁ ମନା କରାଯାଇଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ସ୍ଥାନରେ ଭିଡ ଜମାଇଲେ ଏହି କାମରେ ବ୍ୟାଘାତ ଘଟିବ। ତେଣୁ ଟନେଲ ଭିତରେ ଅଟକି ରହିଥିବା ମଣିଷଙ୍କୁ ଉଦ୍ଧାର କରିବାରେ କୌଣସି ପ୍ରତିବନ୍ଧକ ଯେପରି ନ ହୁଏ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ମଣିଷ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ସେଠାରେ ଯେଉଁ ମାନବୀୟ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ତାହାକୁ ସମ୍ମାନ ଦେଇ ଏଭଳି ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ମନ୍ତ୍ରଣାଳୟ କହିଛି।

Advertisment

ପ୍ରାୟ ଦୁଇ କିମି ଯାଏ ନିର୍ମିତ ଏହି ଟନେଲ ମଧ୍ୟରେ ମାଟି ଅତଡା ଧସିବାରୁ ସେଥିରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କ ମନୋବଳକୁ ସୁଦୃଢ ରଖିବାକୁ ସରକାର ସବୁମତେ ଉଦ୍ୟମ କରୁଛନ୍ତି। ସେମାନଙ୍କ ସହ ନିରନ୍ତର ଯୋଗସୂତ୍ର ରକ୍ଷା କରାଯାଇଛି। ଏହି ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବାକୁ ବିଭିନ୍ନ ସରକାରୀ ସଂସ୍ଥା ନିରଳସ ଉଦ୍ୟମ ଜାରି ରଖିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଏହି ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ସ୍ପର୍ଶକାତରର ହୋଇଥିବାରୁ ଖବର, ଭିଡିଓ ଓ ଲାଇଭ ପ୍ରସାରଣର ମନସ୍ୱାତ୍ତିକ ପ୍ରଭାବ ସମ୍ପୃକ୍ତ ଶ୍ରମିକଙ୍କ ପରିବାର ଉପରେ ପଡିବ। ଏହାର କୁପ୍ରଭାବ ମଧ୍ୟ ସାଧାରଣ ଦର୍ଶକଙ୍କୁ ବିବ୍ରତ କରିପାରେ। ତେଣୁ ଏହି ଖବର ପ୍ରସାରଣରେ ଯଥାସାଧ୍ୟ ସତର୍କତା ଓ ସଂଯମ ଆଚରଣ କରିବାକୁ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ ଦିଆଯାଇଛି।

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଜଣଙ୍କୁ ଉଦ୍ଧାର କରିବା ପାଇଁ ୫-ସୂତ୍ରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେଥି ମଧ୍ୟରେ ଏକ ସମାନ୍ତରାଳ ଡ୍ରିଲିଂ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ)ର ଜଣେ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅଟା ହସନାଇନ କହିଛନ୍ତି। ତେବେ ଏଥିପାଇଁ କେତେ ସମୟ ଲାଗିବ ସେ ନିର୍ଦ୍ଦିଷ୍ଟ ଭାବେ କହିପାରି ନାହାନ୍ତି। କିନ୍ତୁ ଟନେଲ ଭିତରେ ଫସିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କ ପାଖରେ ଯଥେଷ୍ଟ ପାଣି ଓ ଅମ୍ଳଜାନ ଅଛି ବୋଲି ସେ କହିଛନ୍ତି। ହସନାଇନଙ୍କ କହିବା ଅନୁସାରେ ଏହା ଏକ ସହଜ କାମ ନୁହେଁ। ଉଦ୍ଧାର ପାଇଁ ସେମାନେ ସବୁ ପ୍ରକାର ବିକଳ୍ପ ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ସାମନା ପଟୁ ଟନେଲ ବୋରିଂ ମେସିନ ବ୍ୟବହାର କରାଯାଉଛି। ଏକ ବଡ଼ ବୋରିଂ ମେସିନ ଭର୍ତ୍ତି କରିବା ପାଇଁ ସେମାନେ ଟନେଲ ମୁହଁକୁ ଚଉଡ଼ା କରୁଛନ୍ତି। ତେବେ ବିଳମ୍ବ ନେଇ ହସନାଇନ କହିଥିଲେ ଯେ ଏହା ଫସିଥିବା ଶ୍ରମିକମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ନାହିଁ। କାରଣ ଟନେଲ ଭିତରେ ଯଥେଷ୍ଟ ପାଣି ଓ ଅମ୍ଳଜାନ ଅଛି। ସେମାନଙ୍କୁ ବିଦ୍ୟୁତ୍ ଓ ଖାଦ୍ୟ ବି ପହଞ୍ଚାଇ ଦିଆଯାଉଛି। ଭିତରେ ପ୍ରାୟ ୨ କିମିର ଯଥେଷ୍ଟ ଜାଗା ଅଛି ଏବଂ ଆଲୋକ ବ୍ୟବସ୍ଥା ବି ଅଛି। ଶ୍ରମିକମାନଙ୍କ ମନୋବଳ ଦୃଢ଼ କରିବା ପାଇଁ କେତେକଙ୍କ ପରିବାର ସଦସ୍ୟଙ୍କୁ ବି ଡକାଯାଇଛି। ପରିବାର ସଦସ୍ୟଙ୍କ ସହ ସେମାନେ କଥାବାର୍ତ୍ତା କରିପାରୁଛନ୍ତି। ପରିବାର ସଦସ୍ୟଙ୍କ ରହିବା ପାଇଁ ନିକଟସ୍ଥ ହୋଟେଲରେ ସୁବିଧା କରାଯାଇଛି ବୋଲି ହସନାଇନ କହିଛନ୍ତି।