ବିଶ୍ବବ୍ୟାପୀ ମଙ୍କିପକ୍ସ ସଂକ୍ରମଣ ବଢ଼ୁଛି: ପୁରୁଷଙ୍କ ମଧ୍ୟରେ ଯୌନ ସଂପର୍କ ବି ପ୍ରମୁଖ କାରଣ: ‘ହୁ’ ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବିଶ୍ବବ୍ୟାପୀ ମଙ୍କିପକ୍ସ ସଂକ୍ରମଣ ବଢ଼ିବାରେ ଲାଗିଛି। ଚେକ୍‌ ରିପବ୍ଲିକ, ଅଷ୍ଟ୍ରିଆ‌ ଏବଂ ସ୍ଲୋଭେନିଆରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ପ୍ରାୟ ୨୦ ରାଷ୍ଟ୍ରକୁ ମଙ୍କିପକ୍ସ ବ୍ୟାପିଥିବା ବେଳେ ବ୍ରିଟେନ୍‌, ଫ୍ରାନ୍ସ, କାନାଡ଼ା ଏବଂ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ ଦ୍ରୁତ ସଂକ୍ରମଣ ହେଉଥିବା ଦେଖିବାକୁ ମିଳିଛି। ଉତ୍ତର ଆମେରିକୀୟ ରାଷ୍ଟ୍ରକୁ ଗତ କିଛି ଦିନ ମଧ୍ୟରେ ମଙ୍କିପକ୍ସ ବ୍ୟାପିଛି। ଏହି ସଂଖ୍ୟା ଆଗକୁ ବଢ଼ିପାରେ। ଆଫ୍ରିକା ବାହାରେ ଏବେ ୨୪୦ଟି ସ୍ପଷ୍ଟ ଏବଂ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ବରେ ଏବେ ୧୩୧ଟି ମଙ୍କିପକ୍ସ ମାମଲା ସ୍ପଷ୍ଟ କରାଯାଇଥିବା ବେଳେ ୧୧୦ଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ବିଶେଷଜ୍ଞମାନେ ଏହାକୁ ଅନିୟମିତ କହିବା ସହ ଏହା ନିୟନ୍ତ୍ରଣାଧୀନ ବୋଲି କହିଛନ୍ତି।

ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ମୁଖ୍ୟ କହିଛନ୍ତି, ଆଫ୍ରିକା ବାହାରେ ମଙ୍କିପକ୍ସ ମାମଲାକୁ ନିୟନ୍ତ୍ରଣ କରିହେବ। ତେବେ ମଙ୍କିପକ୍ସ ମାମଲା ଆଗକୁ ବଢ଼ିବ ବୋଲି ‘ହୁ’ ଅଧିକାରୀମାନେ କହିଛନ୍ତି। କରୋନା ପରି ମଙ୍କିପକ୍ସ ମହାମାରୀ ରୂପ ନେବାର ପ୍ରଶ୍ନ ନାହିଁ ବୋଲି‌ ସେମାନେ କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ପୂର୍ବ ବୈଜ୍ଞାନିକ ଡ. ଡେଭିଡ୍‌ ହେମ୍ୟାନ୍‌ କହିଛନ୍ତି ଯେ ମଙ୍କିପକ୍ସ ଭୂତାଣୁର ବର୍ତ୍ତମାନ ପ୍ରକୋପ ପଛରେ ପୁରୁଷମାନଙ୍କ ମଧ୍ୟରେ ଯୌନ ସଂପର୍କ ମଧ୍ୟ ପ୍ରମୁଖ କାରଣ ହୋଇପାରେ ଏବଂ ଏହା ୟୁରୋପରୁ ସୃଷ୍ଟି ହୋଇଥିବା ସେ ଆଶଙ୍କା କରିଛନ୍ତି। ସଂକ୍ରମିତ ବ୍ୟକ୍ତି ସହ ଯୌନ ସଂପର୍କ କିମ୍ବା ଘନିଷ୍ଠତାରୁ ଏହା ବ୍ୟାପିଚାଲିଛି ବୋଲି ସେ କହିବା ସହ ଏ ଦିଗରେ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର