ନିଜ ବିବାହକୁ ରୋକିଲେ ନାବାଳିକା : ପିତାଙ୍କ ଭୁଲ ନିଷ୍ପତ୍ତିକୁ ବିରୋଧ କଲେ

କୋଲକାତା : ବାଲ୍ୟ ବିବାହକୁ ବେଆଇନ ଘୋଷଣା କରାଯିିବା ସତ୍ତ୍ୱେ ଦେଶର କିଛି ଅଞ୍ଚଳରେ ଏବେ ବି ଏହି ପ୍ରଥା ଚାଲିଆସିଛି। ବାଲ୍ୟ ବିବାହ ଯୋଗୁ ଅନେକ ନାବାଳିକାଙ୍କ ଜୀବନ ଦୁର୍ବିଷହ ହୋଇପଡୁଛି। କିନ୍ତୁ ସେମାନଙ୍କ ପିତାମାତା ନିଜ ଜିଦ୍‌ରେ ଅଟଳ ରହି ଝିଅକୁ ନର୍କକୁ ଠେଲିଦେଉଛନ୍ତି। ନିରୀହ ନାବାଳିକା ମଧ୍ୟ ଏହାକୁ ମୁଣ୍ଡ ପାତି ସହିଯାଉଛନ୍ତି। କିନ୍ତୁ ପଶ୍ଚିମବଙ୍ଗର ଜଣେ ୧୩ ବର୍ଷୀୟା ଝିଅ ଏହା ବିରୋଧରେ ସ୍ୱର ଉଠାଇଛନ୍ତି। ନିଜ ପିତାଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ କର୍ଣ୍ଣପାତ ନକରିବାରୁ ଶେଷରେ ପୁଲିସର ଦ୍ୱାରସ୍ଥ ହୋଇ ନିଜ ବାଲ୍ୟ ବିବାହକୁ ରୋକିଛନ୍ତି। ଏଥିପାଇଁ ତାଙ୍କୁ ପଶ୍ଚିମବଙ୍ଗରେ ଢେର ପ୍ରଶଂସା ମିଳିଛି।

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ସ୍ଥିତ ଜୀବନତଲାଠାରେ ଏହି ଘଟଣା ଘଟିଛି। ୧୩ ବର୍ଷୀୟା ନାବାଳିକା ନିଜ ସ୍କୁଲ୍‌ ୟୁନିଫର୍ମ ପିନ୍ଧି ହାତରେ ସ୍କୁଲ୍‌ ବ୍ୟାଗ୍‌ ଧରି ଜୀବନତଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସହପାଠିନୀଙ୍କ ସତର୍କତା ସତ୍ତ୍ୱେ ସେ ନିଜ ପିତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବିବାହକୁ ରୋକିବାରେ ସହାୟତା କରିବାକୁ ସେ ପୁଲିସକୁ ଅନୁରୋଧ କରିଛନ୍ତି। ପୁଲିସକୁ ସେ କହିଛନ୍ତି ଯେ ସେ ପଢ଼ିବାକୁ ଚାହୁଥିବା ବେଳେ ତା’ର ପିତା ତାଙ୍କୁ ବିବାହ ଦେବା ପାଇଁ ଗତ ୬ ମାସ ହେଲା ଉଦ୍ୟମ କରୁଛନ୍ତି। ଶେଷରେ ବିବାହ ଚୂଡ଼ାନ୍ତ କରିଛନ୍ତି। ଭଙ୍ଗାରସ୍ଥିତ ଚନ୍ଦନେଶ୍ୱରଠାରେ ତାଙ୍କର ବିବାହ ସ୍ଥିର ହୋଇଛି। ତେଣୁ ବାଧ୍ୟ ହୋଇ ସେ ଥାନାକୁ ଆସିଥିବା ଥାନାଧିକାରୀ ସୁଭାଷ ଚନ୍ଦ୍ର ଘୋଷଙ୍କୁ ଜଣାଇଛନ୍ତି।

ନାବାଳିକାକୁ ଏହି କାର୍ଯ୍ୟ ପାଇଁ ସାବାସି ଦେବା ପରେ ଥାନାଧିକାରୀ ଘୋଷ ଏକ ଟିମ୍‌ ଝିଅର ଗାଁକୁ ପଠାଇଥିଲେ। ଗାଁ ମୁଖିଆଙ୍କ ସହିତ ଆଲୋଚନା କରି ଟିମ୍‌ ଝିଅର ପିତା ନିକଟରେ ପହଞ୍ଚିଥିଲା। କିନ୍ତୁ ସେ ରାଜି ହୋଇନଥିଲେ। ଶେଷରେ ବାଲ୍ୟ ବିବାହ କରାଇଲେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯିବା ପରେ ସେ ନିଜ ନିଷ୍ପତ୍ତିରୁ ଓହରିଥିଲେ। ଏମିତି କି ପ୍ରାପ୍ତ ବୟସ ପୂର୍ବରୁ ସେ ତାଙ୍କ ଝିଅକୁ ବିବାହ ଦେବେନାହିଁ ବୋଲି ଲିଖିତ ଆକାରରେ ଜଣାଇଥିଲେ। ଫଳରେ ନାବାଳିକା ଜଣକ ନିଜ ବିବାହକୁ ରୋକିପାରିଛନ୍ତି। ଏ ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ସୌକତ ମୋଲ୍ଲାହ କହିଛନ୍ତି, ଯେତେ ସଚେତନ କରାଗଲେ ମଧ୍ୟ ଉକ୍ତ ଅଞ୍ଚଳରେ ଏବେ ବି ବାଲ୍ୟ ବିବାହ ପ୍ରଥା ଚାଲିଛି। ଚଳିତବର୍ଷ ଆମେ ଏଠାରେ ୮ଟି ବାଲ୍ୟ ବିବାହ ରୋକିସାରିଲୁଣି। ତଥାପି ଏହା ଭିତିରିଆ ଜାରି ରହିଛି।

ସମ୍ବନ୍ଧିତ ଖବର