ଏଥର ଉତ୍ତର ପ୍ରଦେଶ: ବିହାର ଘଟଣାର ପୁନରାବୃତ୍ତି: ଆଶ୍ରୟସ୍ଥଳରେ ନାବାଳିକାଙ୍କୁ ଦୁଷ୍କର୍ମ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିହାର ମୁଜାଫରପୁର ନାବାଳିକା ଦୁଷ୍କର୍ମ ଘଟଣାର ପୁନରାବୃତ୍ତି ଘଟିଛି। ୟୁପିରେ ମଧ୍ୟ ସମାନ ଢଙ୍ଗରେ ଏକ ଆଶ୍ରୟସ୍ଥଳରେ ନାବାଳିକାମାନଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ରାଜ୍ୟର ଦେଓରିଆ ଜିଲ୍ଲାରେ ଥିବା ଏକ ଆଶ୍ରୟସ୍ଥଳରେ ଏଭଳି ଘଟଣା ଘଟିଛି। ଘଟଣାରେ ପୁଲିସ ୨୪ ନାବାଳିକାଙ୍କୁ ଉଦ୍ଧାର କରିଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ବାସଗୃହ ଯୋଗାଇଦେବା ନାଁରେ ନାବାଳିକାମାନଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିଲା। ଆଶ୍ରୟସ୍ଥଳର ମାଲିକ ନିରୀହ ନାବାଳିକାମାନଙ୍କୁ ନେଇ ସେକ୍ସ ର‍୍ୟାକେଟ୍‌ ଚଲାଇଥିବା ମଧ୍ୟ ଜଣାପଡ଼ିଛି। ସେମାନଙ୍କୁ ଯାବତ୍ୟ ପ୍ରକାର କାମ କରିବାକୁ ପଡ଼ୁଥିଲା। ବାସନକୁସନ ମାଜିବାଠାରୁ ଆଶ୍ରୟସ୍ଥଳର କାମ ସେମାନେ କରୁଥିଲେ। ପୁଲିସ ଏନେଇ ଗତକାଲି ଆଶ୍ରୟସ୍ଥଳରେ ଚଢ଼ାଉ କରି ଏହାର ମାଲିକ ତଥା ନିର୍ଦ୍ଦେଶିକା ଗିରିଜା ତ୍ରିପାଠୀ ଏବଂ ତାଙ୍କ ସ୍ୱାମୀ ମୋହନ ତ୍ରିପାଠୀଙ୍କୁ ଗିରଫ କରିଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଆହୁରି ଜଣାଯାଇଛି ଯେ ପ୍ରତିଦିନ ରାତିରେ ଆଶ୍ରୟସ୍ଥଳ ଗେଟ୍‌ ପାଖରେ ବଡ଼ ବଡ଼ ଗାଡ଼ି ଲାଗୁଥିଲା। ନାବାଳିକାଙ୍କୁ ସେଠାରୁ ନିଆଯାଉଥିଲା ଓ ତା’ପରଦିନ ସକାଳେ ପୁଣି ସେମାନଙ୍କୁ ଆଣି ଆଶ୍ରୟସ୍ଥଳରେ ଛଡ଼ାଯାଉଥିଲା। ତେବେ ଆଶ୍ରୟସ୍ଥଳର ଜଣେ ୧୦ ବର୍ଷୀୟା ନାବାଳିକା ଗତକାଲି ରାତିରେ କୌଶଳ କ୍ରମେ ସେଠାରୁ ଖସିଯାଇ ପୁଲିସ ପାଖରେ ପହଞ୍ଚି ସବୁକଥା କହିଥିଲା। ଫଳରେ ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ଗତକାଲି ରାତିରେ ଆଶ୍ରୟସ୍ଥଳରେ ଚଢ଼ାଉ କରିଥିଲା। ଆଶ୍ରୟସ୍ଥଳ ରେଜିଷ୍ଟରରୁ ଜଣାପଡ଼ିଛି ଯେ ସେଠାରେ ୧୫ରୁ ୧୮ ବର୍ଷ ମଧ୍ୟରେ ୪୨ ଜଣ ନାବାଳିକା ରହୁଥିଲେ। କିନ୍ତୁ ପୁଲିସ ୨୪ ଜଣଙ୍କୁ ଉଦ୍ଧାର କରିଛି। ଆହୁରି ୧୮ ଜଣ ନାବାଳିକା ଏଯାବତ୍‌ ନିଖୋଜ୍‌ ଅଛନ୍ତି। ଆଶ୍ରୟସ୍ଥଳ ଏବେ ବନ୍ଦ କରିଦିଆଯାଇଛି ଏବଂ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ସେମାନଙ୍କ ବୟାନ ରେକର୍ଡ କରାଯିବ ବୋଲି ଏଡିଜି ଆନନ୍ଦ କୁମାର କହିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଘଟଣାସ୍ଥଳକୁ ଏକ ଉଚ୍ଚ ସ୍ତରୀୟ ତଦନ୍ତକାରୀ ଦଳ ପଠାଇଛନ୍ତି ଏବଂ ଶୀଘ୍ର ଏନେଇ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଦେଓରିଆ ଜିଲ୍ଲା ମାଜିଷ୍ଟ୍ରେଟ୍‌ ସୁଜିତ କୁମାର ଆଶ୍ରୟସ୍ଥଳ ମାଲିକ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ତାଙ୍କୁ ବହିଷ୍କାର କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତତ୍କାଳୀନ ଡିପିଓ (ଡିଷ୍ଟ୍ରିକ୍ଟ ପ୍ରୋବେସନ୍‌ ଅଫିସର) ଅଭିଷେକ ପାଣ୍ଡେଙ୍କୁ ନିଲମ୍ବିତ କରାଯାଇଛି ଏବଂ ଅନ୍ୟ ଦୁଇଜଣ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମହିଳା ଏବଂ ଶିଶୁ ବିକାଶ ବିଭାଗ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି।

ସମ୍ବନ୍ଧିତ ଖବର