ବାପାଙ୍କୁ ଯକୃତ ଦାନ ପାଇଁ ସୁପ୍ରିମକୋର୍ଟ ଗଲେ ନାବାଳକ, ଉତ୍ତରପ୍ରଦେଶ ସରକାରଙ୍କୁ ଜବାବ ମାଗିଲେ କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଜଣେ ନାବାଳକ ନିଜ ବାପାଙ୍କ ଜୀବନ ବଞ୍ଚାଇବାପାଇଁ ଯକୃତ ଦାନ କରିବାକୁ ଚାହିଛନ୍ତି। ମାନବ ଅଙ୍ଗ ପ୍ରତିରୋପଣ ଆଇନ ଅନୁଯାୟୀ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ବ ଏବଂ ମୃତ ନାବାଳକ ଅଙ୍ଗଦାନ କରିପାରିବେ। ତେଣୁ ସମ୍ପୃକ୍ତ ନାବାଳକ ଜଣଙ୍କ ନିଜ ବାପାଙ୍କୁ ଯକୃତ ଦାନ କରିବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଅନୁମତି ଲୋଡ଼ିଛନ୍ତି।

ଗତ ଶୁକ୍ରବାର ଦିନ ନାବାଳକ ଜଣଙ୍କ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ତାଙ୍କ ଆବେଦନକୁ ଜରୁରୀ ତାଲିକାଭୁକ୍ତ ପାଇଁ କହିଥ‌ିଲେ। ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଏବଂ ପିଏସ୍‌ ନରସିଂହ ଏହି ଆବେଦନର ଶୁଣାଣି କରିବା ସହ ଉତ୍ତରପ୍ରଦେଶ ସରକାରକୁ ନୋଟିସ୍‌ କରିଛନ୍ତି। ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି, ନାବାଳକଙ୍କ ବାପାଙ୍କ ଅବସ୍ଥା ଅତି ଗୁରୁତର। ତାଙ୍କ ଜୀବନ ବଞ୍ଚାଇବାପାଇଁ ଏକମାତ୍ର ବାଟ ହେଉଛି ତାଙ୍କ ପୁଅ ଯକୃତ ଦାନ କରିବେ। କିନ୍ତୁ ଆଇନ ଅନୁଯାୟୀ ଜଣେ ଡୋନର ସାବାଳକ ହୋଇଥିବା ଉଚିତ। ନାବାଳକଙ୍କ ବାପା ନଏଡ଼ାର ଫୋର୍ଟିସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେଣୁ କୋର୍ଟ ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ସଚିବଙ୍କ ଜବାବ ମାଗିଛନ୍ତି। ଆଜି ମଧ୍ୟ କୋର୍ଟରେ ଏହି ମାମଲାର ଶୁଣାଣି ଥିଲା।

ସମ୍ବନ୍ଧିତ ଖବର