ରିକ୍ସା ଟାଣି ପରିବାର ପୋଷୁଛନ୍ତି ନାବାଳିକା

ପାଟନା : ଶିଶୁ ଶ୍ରମିକ ଆଇନ ଅଧୀନରେ ବିହାରର ନନ୍ଦିନୀ ପେଟ ପୋଷିବା ପାଇଁ ଯେଉଁ କାମ କରୁଛନ୍ତି ତାହା ବେଆଇନ। କିନ୍ତୁ ପରିବାର ଚଳାଇବାପାଇଁ ନନ୍ଦିନୀଙ୍କ ପାଖରେ ଅନ୍ୟ କିଛି ବାଟ ନାହିଁ। ବାଧ୍ୟହୋଇ ସେ ରିକ୍ସା ଟାଣି ନିଜ ପରିବାର ପୋଷୁଛନ୍ତି। ଏହ‌ାକୁ ଆଦୌ ବେଆଇନ ବି କୁହାଯିବନି। ବିହାରର ସାସାରାମ୍‌ ସହରରେ ନନ୍ଦିନୀଙ୍କ ଘର। ତାଙ୍କୁ ମାତ୍ର ୧୪ ବର୍ଷ ବୟସ। କରୋନା ଲକ୍‌ଡାଉନ୍‌ ଯୋଗୁଁ ଅନେକ ଲୋକ ରୋଜଗାର ହରାଇ ବସିଛନ୍ତି। ନନ୍ଦିନୀଙ୍କ ପରିବାର ସଦସ୍ୟ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ନନ୍ଦିନୀଙ୍କ ପରିବାର କହିଲେ ତାଙ୍କ ମା’ ଏବଂ ୩ ସାନ ଭାଇ ଓ ଭଉଣୀ। ସାବତ ବାପା ପ୍ରଭୁ କୁମାର ଲକ୍‌ଡାଉନ୍‌ ସମୟ‌ରେ ପରିବାର ଚଳାଇବାପାଇଁ ଟଙ୍କା ଦେଉଥିଲେ। କିନ୍ତୁ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବାପରେ ସେ କାମ କରିବାକୁ ଉତ୍ତରାଖଣ୍ଡ ଚାଲିଯାଇଛନ୍ତି। ସେବେଠାରୁ ସେ ଟଙ୍କା ପଠାଇନାହାନ୍ତି। ନନ୍ଦିନୀଙ୍କ ପରିବାରର ରାସନ୍‌ କାର୍ଡ‌୍ ନାହିଁ। ଘରେ ଚୁଲି ଜଳିବା ବନ୍ଦ ହୋଇଗଲା। ଭୋକ ଉପାସରେ କେତେଦିନ ପଡ଼ି ରହିବୁ? କିଏ ଆମକୁ ସାହାଯ୍ୟ କରିବ? ଏମିତି ଅନେକ ପ୍ରଶ୍ନ ନନ୍ଦିନୀଙ୍କ ମନକୁ ଆସିଲା। ଶେଷରେ ସେ କିଛି କରିବାପାଇଁ ନିଷ୍ପତ୍ତି ନେଲେ। ସେ ଜଣେ ବ୍ୟବସାୟୀଙ୍କ ସହ ଯୋଗାଯୋଗ କଲେ। ଉକ୍ତ ବ୍ୟବସାୟୀ ଜଣଙ୍କ ଜଣେ ରିକ୍ସା ମାଲିକ। ନନ୍ଦିନୀ ତାଙ୍କଠାରୁ ରିକ୍ସା ଭଡ଼ା‌ରେ ଆଣି ଚଲାଇଲେ। କରୋନା ମହାମାରୀ ସମୟରେ ଗ୍ରାହକ ବି ସେତେ ହେଉନାହାନ୍ତି। ଅତି କମ୍‌ରେ ଦିନକୁ ୧୧୦ ରୁ ୧୨୦ ରୋଜଗାର। ସେଥିରୁ ୫୦ ଟଙ୍କା ମାଲିକଙ୍କୁ ଦେଇଦେଲେ ବାକି ୬୦-୭୦ ଟଙ୍କା ହାତରେ ଧରି ନନ୍ଦିନୀ ଘରକୁ ଫେରନ୍ତି। ତେବେ ଏତିକି ଟଙ୍କା ପାଇବା ପାଇଁ ମଧ୍ୟ ନନ୍ଦିନୀଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ୁଛି। ନନ୍ଦିନୀ କହିଛନ୍ତି, କେଉଁ ସରକାର ଆମକୁ କିଛି ଦେଉନାହାନ୍ତି। କେହି ଅଧିକାରୀ ଆମ ଦୁଃଖ ବୁଝିବାକୁ ଆସିନାହାନ୍ତି। ଲକ୍‌ଡାଉନ୍‌ ସମୟରେ ଆମେ ସରକାରୀ ସାହାଯ୍ୟ ସ୍ବରୁପ ଟଙ୍କା ପାଇନୁ କି ରାସନ୍‌ ବି ପାଇନୁ। ଆମେ ଟଙ୍କା ଦେଇ ଦୋକାନରୁ ସଉଦା କିଣି ଖାଉଛୁ ବୋଲି ସେ କହିଛନ୍ତି।

ପ୍ରତିଦିନ ସକାଳେ ନନ୍ଦିନୀ ଧରି ଘରୁ ବାହାରି ପଡ଼ନ୍ତି। ଯାତ୍ରୀଙ୍କୁ ନିଜ ରିକ୍ସାରେ ବସାଇ ରିକ୍ସା ଟାଣିବା ସମୟରେ ସେ ତାଙ୍କ ଓଢ଼ଣୀକୁ ବାମ କଡ଼ କାନ୍ଧ ଦେଇ ବୁଲାଇ ଆଣି ଅଣ୍ଟାରେ ଖୁବ୍‌ ଜୋର ଭିଡ଼ି ଦେଇଥାନ୍ତି। ଏହାଦ୍ବାରା ରିକ୍ସା ଟାଣିବାପାଇଁ ତାଙ୍କୁ ଅଧିକ ଶକ୍ତି ମିଳେ ବୋଲି ସେ ଭାବନ୍ତି। ତେବେ ସେ ତାଙ୍କ ରିକ୍ସାରେ କେବଳ ମହିଳା ଯାତ୍ରୀଙ୍କୁ ହିଁ ନେବାକୁ ପସନ୍ଦ କରନ୍ତି। ମା’ଙ୍କ କଥା ପଚାରିବାରୁ ନନ୍ଦିନୀ କହିଛନ୍ତି, ସେ ଏଭଳି କାମ କରିପାରିବେ ନାହିଁ। ସେ ଘରେ ରହୁଛନ୍ତି ଏବଂ ସମସ୍ତଙ୍କର ସେବା ଯତ୍ନ କରୁଛନ୍ତି। ନନ୍ଦିନୀ ଏବଂ ତାଙ୍କ ସାବତବାପା ଘର ଘର ବୁଲି ଶୌଚ୍ଚାଳୟ ସଫା କରୁଥିଲେ। କିନ୍ତୁ ମାର୍ଚରେ ଲକ୍‌ଡାଉନ୍‌ ଆରମ୍ଭ ହେବାପରେ ସେମାନଙ୍କ ଜୀବିକା ଚାଲିଗଲା। ସେମାନେ ରେଲ୍‌ୱେ ଫ୍ଲାଏଓଭର୍‌ ସ୍ଥିତ ଏକ ସରକାରୀ ସ୍ଥାନରେ ଚାଳିଆ ଘରେ ରହୁଛନ୍ତି।

ସମ୍ବନ୍ଧିତ ଖବର