ଶିଶୁକୁ ଦୁଷ୍କର୍ମ ମାମଲା:ମଧ୍ୟପ୍ରଦେଶ ସ୍କୁଲ୍‌ ଶିକ୍ଷକଙ୍କୁ ମୃତ୍ୟୁଦଣ୍ଡ

ଭୋପାଳ: ୪ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ମଧ୍ୟପ୍ରଦେଶର ଜଣେ ଶିକ୍ଷକଙ୍କୁ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ମଧ୍ୟପ୍ରଦେଶ ସାତ୍‌ନା ଜିଲ୍ଲା ଟ୍ରାଏଲ କୋର୍ଟ ଅଭିଯୁକ୍ତ ଶିକ୍ଷକଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ କରି ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କ ନାମ ମହେନ୍ଦ୍ର ସିଂହ ଗଣ୍ଡ। ଶିଶୁଟିକୁ ସେ ନୃଶଂସ ଭାବେ ଦୁଷ୍କର୍ମ କରିଥିଲେ ଏବଂ ସଙ୍କଟାପନ୍ନ ଅବସ୍ଥାରେ ଶିଶୁଟି ମାସେ ପର୍ଯ୍ୟନ୍ତ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲା । ତାକୁ ସୁସ୍ଥ କରିବାପାଇଁ ଅନେକ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡ଼ିଥିଲା। ମାମଲାର ବିଚାର ପରେ କୋର୍ଟ ଅଭିଯୁକ୍ତ ଶିକ୍ଷକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୨ ତାରିଖରେ ଜବଲପୁର ଜେଲ୍‌ରେ ତାଙ୍କୁ ଫାଶୀଦଣ୍ଡ ଦିଆଯିବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟ ମଧ୍ୟ ଗତ ଜାନୁଆରି ୨୫ ତାରିଖରେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ପାଇଁ ସୁନିଶ୍ଚିତ କରିଥିଲେ। ତେବେ ଅଭିଯୁକ୍ତ ଟ୍ରାଏଲ କୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ୨୦୧୮ ଜୁନ୍ ୩୦ ତାରିଖରେ ଏହି ଦୁଷ୍କର୍ମ ଘଟିଥିଲା। ଅଭିଯୁକ୍ତ ‌ଶିକ୍ଷକ ସେଦିନ ପୀଡ଼ିତା ଶିଶୁଙ୍କୁ ଅପହରଣ କରିନେଇ ନିକଟସ୍ଥ ଏକ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ ଏବଂ ଶିଶୁଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଫୋପାଡ଼ି ଦେଇ ଆସିଥିଲେ। ପରେ ବହୁ ଖୋଜାଖୋଜି ପରେ ପୀଡ଼ିତା ଶିଶୁଙ୍କ ବାପା ମା’ ଝିଅକୁ ପାଇଥିଲେ ଏବଂ ପୁଲିସରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର